ପାରାଚ୍ୟୁଟ ଖୋଲିଲାନି, ବିମାନରୁ ପଡି ସେନା କମାଣ୍ଡୋ ମୃତ

ଆଗ୍ରା : ଭାରତୀୟ ସେନାରେ ତାଲିମ ବେଳେ ଘଟୁଥିବା ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପୁରୁଣାକାଳିଆ ବିମାନ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଆଦି କାରଣ ଯୋଗୁଁ ଏସବୁ ଦୁର୍ଘଟଣା ଘଟୁଛି । ଆଜି ଘଟିଥିବା ଏକ ଦୁଃଖଦ ଘଟଣାରେ ଭାରତୀୟ ସେନାର ପାରା ଓ୍ଵାନ ବ୍ରିଗେଡ୍‌ର ଜଣେ ଲଢୁଆ କମାଣ୍ଡୋ ଲାନ୍ସ ନାଏକ ସୁନୀଲ କୁମାର ତାଲିମ ନେଉଥିବାବେଳେ ମୃତ୍ୟୁ ବରଣ କରିଛନ୍ତି । ଆଗ୍ରାର ମାଲପୁରା ଡ୍ରପିଂ ଗ୍ରାଉଣ୍ଡରେ ଚାଲିଥିବା ଏକ ନିୟମିତ ଟ୍ରେନିଂ ବେଳେ ଏହି ଘଟଣା ଘଟିଛି । ଆକାଶଛତା ବା ପାରାଚ୍ୟୁଟ ସାହାଯ୍ୟରେ ସେ ବିମାନରୁ ତଳକୁ ଖସୁଥିବାବେଳେ ଆକାଶଛତାଟି ଖୋଲିନଥିଲା । ଫଳରେ ଶହ ଶହ ଫୁଟ ଉଚ୍ଚତାରୁ ପଡି ସେ ମୃତ୍ୟୁବରଣ କରିଥିଲେ ।

ତାଙ୍କୁ ତୁରନ୍ତ ଆଗ୍ରାର ସେନା ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ । ଉପରୁ ଖସିପଡିବାରୁ ତାଙ୍କର ମୁଣ୍ଡ ଓ ଛାତି ମାଡ ହୋଇଥିଲା ବୋଲି ଡାକ୍ତର କହିଛନ୍ତି । ଲାନ୍ସ ନାଏକ ସୁନୀଲ କୁମାରଙ୍କ ଘର ହରିୟାନାର ପାଲଓ୍ଵାଲ ଜିଲ୍ଲାରେ ବୋଲି ଜଣାପଡିଛି । ତାଙ୍କ ପତ୍ନୀ ଓ ଏକମାତ୍ର ଶିଶୁପୁତ୍ର ଅଛି ।

ଗତ ସପ୍ତାହରେ ସରକାର ଲୋକସଭାରେ କହିଥିଲେ ଯେ ବିଗତ ୪ ବର୍ଷରେ ଭାରତୀୟ ବାୟୁସେନାର ପ୍ରାୟ ୩୧ଟି ବିମାନ ଜୁର୍ଘଟଣାଗ୍ରସ୍ତ ହୋଇଛି । ଏହା ମଧ୍ୟରୁ ୨୦୧୬-୧୭ରେ ୧୦ଟି ଓ ୨୦୧୭-୧୮ରେ ୬ଟି ଦୁର୍ଘଟଣା ଘଟିଛି ।

ସମ୍ବନ୍ଧିତ ଖବର