ନୂଆଦିଲ୍ଲୀ : ଭାରତୀୟ ସେନାର ପଦାତିକ ବାହିନୀକୁ ଶକ୍ତିଶାଳୀ କରିବା ଲାଗି ଆରମ୍ଭ କରାଯାଇଛି ଯୋଜନା । ଶତ୍ରୁମାନଙ୍କର ସ୍ଥଳ ସେନାର ଶକ୍ତି ଆକଳନ କରାଯାଇ ଭାରତ ୩୦୦୦ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଫ୍ରାନ୍ସଠାରୁ କିଣିବାକୁ ସ୍ଥିର କରିଛି । ପ୍ରାୟ ୧୦୦୦କୋଟି ଟଙ୍କା ବ୍ୟୟରେ କିଣାଯିବାକୁ ଥିବା ଏହି ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ୱଂସୀ ମିସାଇଲ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଦୂରରୁ ଧ୍ୱଂସ କରି ପାରିବ ।
ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜାଣିବାକୁ ମିଳିଛି, ଫ୍ରାନ୍ସରୁ ମିଲନ୍ ୨ଟି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ମଗାଇବା ଲାଗି ମନ୍ତ୍ରାଳୟର କ୍ଷମତା ସମ୍ପର୍ଣ୍ଣ କମିଟି ନିକଟରେ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ୩୦୦୦ଟି ମିସାଇଲ କ୍ରୟ ଲାଗି ଭାରତ ଡାଇନାମିକ୍ସ ଲିମିଟେଡ୍କୁ ଫ୍ରାନ୍ସ କମ୍ପାନୀର ସହଯୋଗୀ ସଂସ୍ଥା ଭାବେ ଚୟନ କରାଯାଇଛି ।
/sambad/media/post_attachments/wp-content/uploads/2019/01/754270-missile-new-300x169.jpg)
ବର୍ତ୍ତମାନ ଭାରତୀୟ ସେନା ବିଭିନ୍ନ ଧରଣର ୭୦,୦୦୦ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଆବଶ୍ୟକ କରୁଥିବା ବେଳେ ପ୍ରଥମ ଦଫାରେ ଫ୍ରାନ୍ସରୁ ୩,୦୦୦ ତୃତୀୟ ପ୍ରଜନ୍ମ ମିସାଇଲ ମଗାଇବାକୁ ଯାଉଛି ।
ତେବେ ଭାରତୀୟ ସେନାର ଆବଶ୍ୟକତା ପୂରଣ ଲାଗି ନିଜସ୍ୱ ଜ୍ଞାନକୌଶଳରେ ଅତ୍ୟାଧୁନିକ ମିସାଇଲ ନିର୍ମାଣ ଲାଗି ଡିଆର୍ଡିଓ ପକ୍ଷରୁ ଉଦ୍ୟମ ଜାରି ରହିଛି । ଡିଆର୍ଡିଓ ନିର୍ମିତ ଏହି ଶ୍ରେଣୀୟ ମିସାଇଲର ପରୀକ୍ଷଣ ସରି ଯାଇଥିବା ବେଳେ ନିକଟ ଭବିଷ୍ୟତରେ ଏହା ସେନାରେ ସାମିଲ ହେବ ।