ଚୀନ ବିପଦର ସମ୍ମୁଖୀନ ହେବାକୁ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର ମହଜୁଦ କରୁଛି ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନର ମୁକାବିଲା କରିବାକୁ ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ  କିଣୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦକୁ ସୂଚୀତ କରାଯାଇଛି ।

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ଯେ ଭାରତର ‘ଉତ୍ତର ଦିଗରେ ଥିବା ପଡ଼ୋଶୀ’ଠାରୁ ଦେଖାଯାଉଥିବା ବିପଦର ମୁକାବିଲା କରିବାକୁ ସେନା ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ କଠିନ ଜଳବାୟୁରେ ରହିପାରିବା ଭଳି ଉପକରଣ ଜରୁରୀକାଳୀନ ଭିତ୍ତିରେ ଖରିଦ କରାଯାଉଛି । ଚୀନକୁ ଲକ୍ଷ୍ୟ କରି ସେ ଏକଥା କହିଥିବା କୁହାଯାଉଛି ।

ବରଫ ଓ ଦୂର୍ଗମ ସ୍ଥାନରେ ରହିବାକୁ ଭାରତୀୟ ସେନା ସ୍ବତନ୍ତ୍ର ପ୍ରକାରର ତମ୍ବୁ ଓ ପୋଷାକ ଆଦି ଖରିଦ କରିଛି । ସେହିପରି ଆମେରିକାଠାରୁ ଶକ୍ତିଶାଳୀ ହାଓ୍ବିତଜର ତୋପ ଖରିଦ କରିଛି ।

ପୂର୍ବ ଲଦାଖରେ ଚୀନ ଓ ଭାରତର ସେନା ଗତ ବର୍ଷ ମେ ମାସପରଠାରୁ  ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ପ୍ରବଳ ଥଣ୍ଡାରେ ବି ଉଭୟ ପକ୍ଷର ଲକ୍ଷାଧିକ ସୈନିକ ସେଠାରେ ମୁତୟନ ଅଛନ୍ତି । ସ୍ଥିତିକୁ ସ୍ବାଭାବିକ କରିବାକୁ ଦୁଇପକ୍ଷ ମଧ୍ୟରେ  ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା  ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ଅଗ୍ରଗତି ହୋଇନଥିବା କିଛି ଦିନ ତଳେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ।

ସମ୍ବନ୍ଧିତ ଖବର