ଲଦାଖରେ ଦୀର୍ଘ ସମୟ ରହିବୁ, ସଂସଦୀୟ କମିଟିକୁ ଜଣାଇଲା ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖରେ ଚୀନ ସେନାର ମୁକାବିଲା ଲାଗି ଭାରତୀୟ ସେନା ଦୀର୍ଘ ସମୟ ପାଇଁ ଏପରିକି ଶୀତଋତୁରେ ରହିବାକୁ ପ୍ରସ୍ତୁତ ବୋଲି ବରିଷ୍ଠ ସେନା ଅଧିକାରୀମାନେ ଏକ ସଂସଦୀୟ କମିଟିକୁ ଜଣାଇଛନ୍ତି ।

ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତଙ୍କ ନେତୃତ୍ୱରେ ଯାଇଥିବା ବରିଷ୍ଠ ସେନା ଅଧିକାରୀମାନଙ୍କ ଏକ ଦଳ ସଂସଦୀୟ କମିଟିକୁ କହିଛନ୍ତି ଯେ ଭାରତ ଓ ଚୀନ ସେନା ମଧ୍ୟରେ ବୃଦ୍ଧିପାଇଥିବା ଉତ୍ତେଜନା ସ୍ୱାଭାବିକ ହେବାକୁ କିଛି ସମୟ ଲାଗିବ । ତେବେ ଚୀନର ଯେକୌଣସି ଦୁଃସାହସର ଜବାବ ଦେବାକୁ ସେନା ପ୍ରସ୍ତୁତ ବୋଲି ଏହି ଦଳ କହିଛି ।

ଅନ୍ୟପକ୍ଷରେ ଆଜି ଭାରତ ଓ ଚୀନ ସେନା ମଧ୍ୟରେ ଚାଲିଥିବା ଏକ ଆଲୋଚନା ବେଳେ ଦେପସାଙ୍ଗ ଅଞ୍ଚଳରୁ ଯଥା ଶୀଘ୍ର ପଛକୁ ହଟିବାକୁ ଭାରତୀୟ ସେନା ଚୀନକୁ କହିଛି । ଏହା ସହିତ ନିର୍ମାଣାଧୀନ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟକୁ ରଦ୍ଦ କରିବାକୁ ଭାରତ କହିଛି ।

ସୂଚନାଯୋଗ୍ୟ ଯେ ଲଦାଖର କେତେକ ଅଞ୍ଚଳରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଉତ୍ତେଜନା ଜାରି ରହିଛି । ଏହାର କାରଣ ହେଉଛି ଚୀନ ସେନା ଦେପସାଙ୍ଗ, ଦୌଲତ ବେଗ ଓଲଡି ଆଦି କେତେକ ବିବାଦୀୟ ଅଞ୍ଚଳରୁ ଏବେବି ପଛକୁ ହଟିନାହିଁ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନାହିଁ । ସୀମା ସେପଟେ ଚୀନ ଯେପରି ନିଜର ଶକ୍ତି ବଢାଇଚାଲିଛି, ତାହାକୁ ଦେଖି ଭାରତୀୟ ସେନା ମଧ୍ୟ ନିଜର ଶକ୍ତି ବଢାଇଚାଲିଛି । ଏଥିପାଇଁ ଲଦାଖ ଓ ଅନ୍ୟ ଚୀନ ସୀମାରେ ନିଜର ଟ୍ୟାଙ୍କ ରେଜିମେଣ୍ଟ ମୁତୟନ କରିଛି ଭାରତ ।

ସମ୍ବନ୍ଧିତ ଖବର