ଚୀନ୍ ସେନାଙ୍କ ମୁକାବିଲା ଲାଗି ପାଙ୍ଗୋଙ୍ଗ୍ ସୋ’ ଫିଙ୍ଗର୍‌-୪ର ୫, ୮୦୦ ମିଟର୍ ଉଚ୍ଚରେ ଶୀତ ସହଣି ପରୀକ୍ଷା ନିମନ୍ତେ ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଫିଙ୍ଗର-୪ର ୫, ୮୦୦ ମିଟର୍ ଉଚ୍ଚ ପାର୍ବତ୍ୟ ଇଲାକାରେ ପରସ୍ପରକୁ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଭାରତୀୟ ସେନା ଓ ଚୀନ୍ ସେନାର ଏଥର ଶୀତରେ ଥଣ୍ଡା ସହଣି ପରୀକ୍ଷାର ବେଳ ଆସିଛି। ଏହା ମଧ୍ୟରେ ଲଦାଖ ଅଞ୍ଚଳର କାରାକୋରମ ଏବଂ କୈଳାସ ରେଞ୍ଜ୍‌ରେ ପ୍ରଥମ ତୁଷାରପାତ ହୋଇସାରିଛି।

ଏ ବର୍ଷ ଦୀପାବଳି ପରେ ଶୀତ ପ୍ରବଳ ହେବ ବୋଲି ଆଶା କରାଯାଉଥିବା କାରଣରୁ ପିପୁଲ୍‌ସ୍ ଲିବରେସନ୍ ଆର୍ମିର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା ବୋଲି ଅନୁମାନ କରାଯାଉଛି। ବାସ୍ତବ ନିୟନ୍ତ୍ରଣ ରେଖାର ସୁରକ୍ଷା ନିମନ୍ତେ ପା‌ଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ସେନା କୈଳାସ ରେଞ୍ଜ୍‌ର ରେଜାଙ୍ଗ ଲା-ରେଚିନ୍‌ ଲା ରିଜ୍‌ ଲାଇନ୍‌ର ଆଧିପତ୍ୟ ବିସ୍ତାର କରିଛି। ଅବଶ୍ୟ ଏଥିଲାଗି ବ୍ଲାକ୍ ଟପ୍ ଏବଂ ହେଲ୍‌ମେଟ୍‌ରେ ଉପସ୍ଥିତ ଥିବା ପିପୁଲସ୍ ଲିବରେସନ୍ ଆର୍ମି ଭାରତୀୟ ସେନାକୁ ତୀବ୍ର ବିରୋଧ କରୁଛି। ଉଭୟ ପକ୍ଷର ଯବାନମାନେ ବାସ୍ତବ ନିୟନ୍ତ୍ରଣ ରେଖାର ପ୍ରତିରକ୍ଷା ନିମନ୍ତେ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

Image Courtesy of NBO

ଶୀତ ଆଗମନକୁ ଲକ୍ଷ କରି ଭାରତୀୟ ସେନାର ଯାନରେ ମନାଲି – ଲେହ ରାଜପଥରେ ଆବଶ୍ୟକ ସାମରିକ ସାମଗ୍ରୀ ପରିବହନ କରାଯାଉଛି। ଏହାଛଡ଼ା ଭାରତୀୟ ସେନା ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପ୍ରକ୍ରିୟା ଆରମ୍ଭ କରିଛି। ବ‌ିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସେନା ରୁଷୀୟ ତମ୍ବୁ ମଧ୍ୟ କ୍ରୟ କରୁଛି। ଶୀତଦିନ ପାଇଁ ଆଉ ଏକ ଆହ୍ବାନ ହେଉଛି ପାନୀୟ ଜଳ। ଏଥିପାଇଁ ପାଇପ୍ ପାଣିର ବ୍ୟବସ୍ଥା ହେଉଛି। କିନ୍ତୁ, ଯବାନ ମାନେ ପାଣି ଲାଗି ବିଶେଷ ଭାବେ ତୁଷାର ଉପରେ ନିର୍ଭର କରିବେ। ହିଟର୍ ଦ୍ବାରା ତୁଷାର ତରଳାଇ ସେମାନେ ପାନୀୟ ଜଳ ପ୍ରସ୍ତୁତ କରିବେ। ଯବାନମାନଙ୍କ ଲାଗି ଶକ୍କରପରା ନାମରେ ଏକ ପ୍ରକାର ମିଠା ଜଳଖିଆର ବ୍ୟବସ୍ଥା ବି ହେଉଛି।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗଲ୍‌ୱାନ୍ ସଂଘର୍ଷ ପରେ ପୂର୍ବ ଲଦାଖରେ ୩୦ ହଜାରରୁ ଅଧିକ ଅତିରିକ୍ତ ସୈନ୍ୟ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର