ପ୍ରବଳ ତୁଷାରପାତ ଯୋଗୁଁ ସିକ୍କିମ୍‌ରେ ଅଟକି ଯାଇଥିବା ୧୫୦ ପର୍ଯ୍ୟଟକଙ୍କୁ ୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଶୂନ୍‌ ଡିଗ୍ରିରୁ କମ୍‌ ତାପମାତ୍ରାରେ ପ୍ରବଳ ତୁଷାରପାତ ଯୋଗୁଁ ଉତ୍ତର ସିକ୍କିମ୍‌ରେ ଅଟକି ରହିଥିବା ପ୍ରାୟ ୧୫୦ ଜଣ ପର୍ଯ୍ୟଟକଙ୍କୁ ବୁଧବାର ସନ୍ଧ୍ୟାରେ ଭାରତୀୟ ସେନାବାହିନୀ ଉଦ୍ଧାର କରିଛି।

ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ୍‌ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି: ଉତ୍ତର ସିକ୍କିମ୍‌ରେ ପ୍ରବଳ ତୁଷାରପାତ ମଧ୍ୟରେ ଅଟକି ଯାଇଥିବା ପର୍ଯ୍ୟଟକମାନଙ୍କୁ ଆମେ ଉଦ୍ଧାର କରିଛୁ। ଦୁଇ ଘଣ୍ଟା ଧରି ଅପ୍ରତ୍ୟାଶିତ ତୁଷାରପାତ ଯୋଗୁଁ ଲାଚୁଙ୍ଗ୍‌ ଉପତ୍ୟକାର ଜନପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକମାନେ ଅସହାୟ ଅବସ୍ଥାରେ ଅଟକି ରହିଥିଲେ। ତ୍ରିଶକ୍ତି କର୍ପସ୍‌ର ସୈନ୍ୟ ଦଳ ତୁରନ୍ତ କୁଇକ୍‌ ରିଆକ୍‌ସନ୍‌ ଟିମ୍‌ ଓ ଡାକ୍ତରୀଦଳଙ୍କ ସହ ଅଟକି ରହିଥିବା ଯାନବାହନ ମଧ୍ୟରେ ରହିଯାଇଥିବା ପର୍ଯ୍ୟଟକମାନଙ୍କୁ ଠାବ କରିଥିଲେ ଓ ସେମାନଙ୍କୁ ଡାକ୍ତରୀ ସେବା ଯୋଗାଇ ନିକଟବର୍ତ୍ତୀ କ୍ୟାମ୍ପ୍‌ଗୁଡ଼ିକୁ ନେଇଥିଲେ।

ଏଥର ଶୀତଋତୁରେ ଏହା ହେଉଛି ଦ୍ୱିତୀୟ ଉଦ୍ଧାର ଅଭିଯାନ। ୨୦୧୮ ଡିସେମ୍ବର ୨୮ ତାରିଖ ଦିନ ଭାରତୀୟ ସେନା ଯବାନମାନେ ନଥୁଲା ଅଞ୍ଚଳରେ ଅଟକି ଥିବା ୩୦୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର