ଗନ୍ଦେରୱାଲ ଜଙ୍ଗଲରେ ଶତାଧିକ ଆତଙ୍କବାଦୀ, ସେନାର ବିଶାଳ ତଲାସୀ ଅଭିଯାନ

ଜମ୍ମୁ : ଜମ୍ମୁ-କଶ୍ମୀରର ତ୍ରାଲ ସହରରେ ପଶିବା ପାଇଁ ଶତାଧିକ ପାକିସ୍ତାନୀ ଆତଙ୍କବାଦୀ ଗନ୍ଦେରୱାଲ ଜଙ୍ଗଲରେ ଲୁଚିଥିବା ଖବର ମିଳିବା ପରେ ସେନା ବାହିନୀ ପକ୍ଷରୁ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ପାହାଡ଼ିଆ ଜଙ୍ଗଲ ଅଂଚଳରେ ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ ପ୍ରାୟ ୩ ହଜାର ଯବାନ ନିୟୋଜିତ ‌ହୋଇଛନ୍ତି। ଆଜି ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମଧ୍ୟ ସେଠାକୁ ହେଲିକପ୍‌ଟରରେ ଯାଇଛନ୍ତି। ଲସ୍କର ଏବଂ ଜୈସ୍‌ର ୨ଟି ବଡ଼ ଆତଙ୍କବାଦୀ ଦଳ ତ୍ରାଲ୍‌ ସହରରେ ପଶିବା ପାଇଁ ଗନ୍ଦେରୱାଲ ପାର୍ବତ୍ୟାଞ୍ଚଳ ଦେଇ ଆସୁଛନ୍ତି ବୋଲି ଗୁଇନ୍ଦା ଖବର ମିଳିବା ପରେ ଆଜି ଭୋର୍‌ ସମୟରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟାଯିବା ପରେ ବିଚଳିତ ପାକିସ୍ତାନ ହିଂସା ସୃଷ୍ଟି ପାଇଁ ଲଗାତାର ପ୍ରୟାସ ଜାରି ରଖିଛି। ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ପାଇଁ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ଅହରହ ଷଡ଼ଯନ୍ତ୍ର କରୁଥିବାରୁ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅଗଷ୍ଟ ୫ରୁ ଧାରା ୩୭୦ ହଟିବା ପରଠାରୁ ସେନା ଉପରେ ଆକ୍ରମଣ ପାଇଁ ପାକ୍‌ ଆତଙ୍କବାଦୀଙ୍କ ସବୁ ଯୋଜନାକୁ ସୁରକ୍ଷା ବାହିନୀ ପଣ୍ଡ କରିଛି। ଗନ୍ଦେରୱାଲରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପସରେସନରେ ଆହୁରି ଅଧିକ ଯବାନ ସାମିଲ ହେବେ ବୋଲି ଜଣାପଡ଼ିଛି।

ଦକ୍ଷିଣ କଶ୍ମୀରରେ ବଡ଼ ଆକ୍ରମଣ ପାଇଁ ଲସ୍କର ଏବଂ ଜୈସ୍‌ ଆତଙ୍କବାଦୀ ସଂଗଠନ ଷଡ଼ଯନ୍ତ୍ର କରିଥିବାରୁ ଗନ୍ଦେରୱାଲ ଅପରେସନ୍‌ରେ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେନା, ସିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ପୁଲିସ ବାହିନୀ ସହ ଏଲିଟ୍‌ କମାଣ୍ଡୋ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର