ନୂଆଦିଲ୍ଲୀ: ଭାରତୀୟ ସେନାରେ ଗତକାଲି ପ୍ରଥମ କରୋନା ମାମଲା ସ୍ପଷ୍ଟ ହେବାପରେ ଉକ୍ତ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସହକର୍ମୀମାନଙ୍କୁ ଏବେ କ୍ବାରାଣ୍ଟିନ୍ରେ ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରି ଭାଇରସ୍ ରୋକିବା ଦିଗରେ ସୈନିକଙ୍କ ଭୂମିକା ଏବଂ ଦାୟିତ୍ବ ଉପରେ ଗୁରୁତ୍ବ ଦିଆଯାଇଛି। ଲେହରେ ଜଣେ ୩୪ ବର୍ଷୀୟ ଯବାନ ଭାଇରସ୍ ଆକ୍ରାନ୍ତ ହେବାପରେ ଲେହରେ ସମୁଦାୟ ୮୦୦ ଯବାନ ଏବେ ଲକ୍ଡାଉନ୍ରେ ଅଛନ୍ତି। ସେହିଭଳି ଭାରତର ଅର୍ଦ୍ଧସାମରିକ ବାହିନୀର ପ୍ରାୟ ୧୦ ଲକ୍ଷ ପୁରୁଷ ଏବଂ ମହିଳା ଏବେ ଜମ୍ମୁ କାଶ୍ମୀର ଏବଂ ଅନ୍ୟ ଉତ୍ତର ପୂର୍ବ ଅଞ୍ଚଳରେ କାମ କରୁଛନ୍ତି। ସେନା ସଦସ୍ୟ ସୁସ୍ଥ ରହିବା ଏବେ ଏକ ବଡ଼ ଚ୍ୟାଲେଂଜରେ ପରିଣତ ହୋଇଛି। ଯୁଦ୍ଧ ସ୍ଥିତି ଭଳି କରୋନା ଭାଇରସ୍ର ମୁକାବିଲା କରିବାକୁ ପଡ଼ିବ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। କରମର୍ଦ୍ଦନ ନ କରିବା ଏବଂ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରିବାକୁ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନଙ୍କୁ କୁହାଯାଇଛି। ସେନାବାହିନୀ ପକ୍ଷରୁ ମଧ୍ୟ ଯଥେଷ୍ଟ ସତର୍କତାମୂ୍ଳକ ପଦକ୍ଷେପ ଗ୍ରହଣ ହୋଇଛି। ସମସ୍ତ ସମରାଭ୍ୟାସ ଏବଂ ସମ୍ମିଳନୀ ବନ୍ଦ କରାଯାଇଛି।
ଆକ୍ରାନ୍ତ ଯବାନଙ୍କ ସମସ୍ତ ସହକର୍ମୀ କ୍ବାରାଣ୍ଟିନ୍ରେ, ଅର୍ଦ୍ଧ ସାମରିକ ବାହିନୀକୁ ନିର୍ଦ୍ଦେଶାବଳୀ
ସମରାଭ୍ୟାସ, ସମ୍ମିଳନୀ ବନ୍ଦ