ଭାରତୀୟ ସେନାବାହିନୀ ଯବାନ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀର ଜଣେ ଯବାନ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେନାବାହିନୀରେ କେହି କରୋନାଭାଇରସ୍‌ରେ ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗତକାଲି ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା।

ଲଦାଖ ସ୍କାଉଟ୍‌ର ଏହି ଯବାନଜଣକ ଫେବ୍ରୁଆରି ୨୫ ତାରିଖରୁ ମାର୍ଚ ୧ ତାରିଖଯାଏଁ ଛୁଟି ନେଇଥିଲେ। ତାଙ୍କ ବାପା ତୀର୍ଥଯାତ୍ରାରେ ଯାଇ ଇରାନ୍‌ରୁ ଫେରିଥିଲେ। ତାଙ୍କ ବାପା ମଧ୍ୟ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷଣରୁ ଜଣାପଡ଼ିଥିଲା।

ଯବାନଙ୍କର ଚିକିତ୍ସା ଚାଲିଛି। ତାଙ୍କ ପତ୍ନୀ ଓ ଭଉଣୀଙ୍କୁ ପୃଥକ୍‌ ରଖାଯାଇଛି।

Image Source: India TV

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ମଙ୍ଗଳବାର ଦିନ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ଆକଳନ ମୁତାବକ ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଦ୍ୱିତୀୟ ସ୍ତରରେ ରହିଛି। ତୃତୀୟ ସ୍ତରରେ ପହଞ୍ଚି ନାହିଁ।

ମିଳିଥିବା ତଥ୍ୟ ଅନୁସାରେ, ମଙ୍ଗଳବାର ରାତି ସୁଦ୍ଧା ଭାରତରେ କରୋନାଭାଇରସ୍‌ ଆକ୍ରନ୍ତଙ୍କ ସଂଖ୍ୟା ୧୩୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ମଙ୍ଗଳବାର ରାତି ସୁଦ୍ଧା ପ୍ରାପ୍ତ ସୂଚନା ଅନୁସାରେ, କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ୧, ୮୭, ୬୮୯ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଏବଂ ୭, ୮୬୬ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର