ଡ୍ରୋନକୁ ଗୁଳିକରି ଖସାଇବା କୌଶଳ ଶିଖୁଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ : ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଦିନକୁ ଦିନ ନୂଆ ନୂଆ ପ୍ରକାରର ତଥା ଅତ୍ୟାଧୁନିକ କୌଶଳ ବ୍ୟବହାର କରୁଥିବାରୁ ତାହା ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶେଷ କରି ଡ୍ରୋନ ବ୍ୟବହାର କରି ସୁରକ୍ଷା ବାହିନୀ ଉପରେ ବୋମା ଫିଙ୍ଗିବା କୌଶଳ ଆତଙ୍କବାଦୀମାନେ ଶିକ୍ଷା କରୁଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ଲାଗି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ଡ୍ରୋନକୁ କିପରି ଗୁଳି କରି ଖସାଇହେବ ସେ ନେଇ ଭାରତୀୟ ସେନାର ଯବାନମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

ଭାରତୀୟ ସେନା ଉପରେ ଅତ୍ୟାଧୁନିକ ଉପାୟରେ ଆକ୍ରମଣ କରିବାକୁ ଚୀନ ସହାୟତାରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରୁଛି । ଡ୍ରୋନ ବ୍ୟବହାର କରି କିପରି ସେନା ଉପରେ ବୋମା ଫିଙ୍ଗିହେବ ସେ ସମ୍ପର୍କରେ ପାକିସ୍ତାନ ସେନାର ବିଶେଷଜ୍ଞମାନେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛନ୍ତି । ଏହାଛଡ଼ା ଡ୍ରୋନ ବ୍ୟବହାର କରି ସୀମା ସେପଟୁ ଅସ୍ତ୍ରଶସ୍ତ୍ର ମଧ୍ୟ ଚୋରା ଚାଲାଣ କରାଯାଉଛି । ଏହି ଆହ୍ଵାନର ମୁକାବିଲା କରିବାକୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଥିବା ଭାରତୀୟ ସେନାର ୧୫ କୋର ବ୍ୟାଟଲ୍‌ ସ୍କୁଲ ଠାରେ ଯବାନମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।
ଏହି ତାଲିମ କେନ୍ଦ୍ର ଯବାନମାନଙ୍କୁ ଡ୍ରୋନ ଟେକନଲୋଜୀ, ଯୁଦ୍ଧରେ ତାହାର ଉପଯୋଗ, ତାହାକୁ ଠାବ କରିବା ଓ ମାରି ଖସାଇବାର କୌଶଳ ଆଦି ସମ୍ପର୍କରେ ସାମରିକ ବିଶେଷଜ୍ଞମାନେ ତାଲିମ ପ୍ରଦାନ କରୁଛନ୍ତି । ଏଲଓସିରେ ମୁତୟନ ଥିବା ଯବାନମାନଙ୍କୁ ଏସମ୍ପର୍କରେ ଏହି ସ୍କୁଲରେ ୧୪ ଦିନିଆ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

ସମ୍ବନ୍ଧିତ ଖବର