ପାକିସ୍ତାନର କରୋନା ଆତଙ୍କବାଦ, ସତର୍କତା ଜାରି କଲା ଭାରତୀୟ ସେନା

ଶ୍ରୀନଗର : ସମଗ୍ର ବିଶ୍ୱର କରୋନା ଭାଇରସ କବଳିତ ହୋଇଥିବାବେଳେ ପାକିସ୍ତାନ ମଧ୍ୟ ଏହା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହା ସତ୍ତେ୍ୱ ପାକିସ୍ତାନ ନିଜର ଖଳବୁଦ୍ଧି ଛାଡ଼ିପାରୁ ନାହିଁ । କରୋନା ଭାଇରସକୁ ଆତଙ୍କବାଦୀ କାର୍ଯ୍ୟରେ ଉପଯୋଗ କରିବାକୁ ପାକିସ୍ତାନ ମସୁଧା କରୁଛି । ଭାରତକୁ କରୋନା ସଂକ୍ରମିତ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇ ଭାରତୀୟ ସେନାକୁ ସଂକ୍ରମିତ କରିବାକୁ ପାକିସ୍ତାନ ସେନା ଷଡ଼ଯନ୍ତ୍ର କରୁଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି ।

ଏହି ରିପୋର୍ଟ ମିଳିବା ପରେ ସତର୍କ ହୋଇଉଠିଛି ଭାରତୀୟ ସେନା । କରୋନା ସଂକ୍ରମିତ ଆତଙ୍କବାଦୀମାନଙ୍କ ମୁକାବିଲା ବେଳେ କେତେକ ସ୍ୱତନ୍ତ୍ର ନିୟମ ପାଳନ କରିବାକୁ ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆତଙ୍କବାଦୀଙ୍କ ମୃତ ଶରୀରକୁ ଯଥାସମ୍ଭବ କମ ଛୁଇଁବାକୁ, ସେଗୁଡ଼ିକୁ ପୋତିବାବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏସବୁ ନିର୍ଦ୍ଦେଶାବଳୀ ସବୁ ଫିଲଡୟୁନିଟକୁ ପଠାଇଦିଆଯାଇଛି ।

ମିଳିଥିବା ଗୁଇନ୍ଦା ସୁତନା ଅନୁସାରେ ପାକିସ୍ତାନ ସେନା ପାକ-ଅଧିକୃତ କଶ୍ମୀରରେ ଅଧିକ ସଂଖ୍ୟକ କ୍ୱାରାଣ୍ଟାଇନ ସେଣ୍ଟର ଖୋଲି ଅନ୍ୟ ଅଞ୍ଚଳରୁ ଆସିଥିବା ରୋଗୀମାନଙ୍କୁ ରଖୁଛି । ଏହାକୁ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଛନ୍ତି । ଏପରିକି ଉକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର