ନୂଆଦିଲ୍ଲୀ: ୧୯୭୧ ମସିହାର ଏକ ପୁରୁଣା ଖବରକାଗଜ କ୍ଲିପ୍ ସେୟାର କରି ଭାରତୀୟ ସେନା ମଙ୍ଗଳବାର ଆମେରିକାକୁ କଡ଼ା ସମାଲୋଚନା କରିଛି। ଏଥିରେ ଦର୍ଶାଯାଇଛି ଯେ ଅନେକ ଦଶନ୍ଧି ଧରି ଆମେରିକା ପାକିସ୍ତାନକୁ ସମର୍ଥନ କରି ଆସୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ତୈଳ କିଣିବା ନେଇ ଭାରତକୁ ଧମକ ଦେବା ଓ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ଯଥେଷ୍ଟ ଶୁଳ୍କ ବୃଦ୍ଧି କରିବେ ବୋଲି କହିବା ପରେ ଏହା ଘଟିଛି।
ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଦ୍ୱାରା ସେୟାର କରାଯାଇଥିବା ଏହି କ୍ଲିପ୍ ୧୯୭୧ ମସିହା ଅଗଷ୍ଟ ୫ ତାରିଖର। ଆମେରିକା କିପରି ଅନେକ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା, ଯାହା ୧୯୭୧ ଯୁଦ୍ଧରେ ପାକିସ୍ତାନର ସାହସ ବଢ଼ାଇଥିଲା, ତାହା ଏଥିରେ ଦର୍ଶାଯାଇଛି। ବାଂଲାଦେଶରେ ଇସଲାମାବାଦର ସଶସ୍ତ୍ର ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ନାଟୋ ଶକ୍ତି ଓ ସୋଭିଏତ୍ ୟୁନିୟନ ସହ କିପରି ଯୋଗାଯୋଗ କରାଯାଇଥିଲା ସେ ବିଷୟରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିସି ଶୁକ୍ଳା ରାଜ୍ୟସଭାରେ କହିଥିଲେ। ସୋଭିଏତ୍ ୟୁନିୟନ ଓ ଫ୍ରାନ୍ସ ସରକାର ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରିବାକୁ ମନା କରିଥିବା ବେଳେ ଆମେରିକା ଏହାକୁ ସମର୍ଥନ ଜାରି ରଖିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଥିରେ ଆହୁରି କୁହାଯାଇଛି ଯେ ଉଭୟ ଆମେରିକା ଓ ଚୀନ୍ ପାକିସ୍ତାନକୁ କମ୍ ଦାମ୍ରେ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲେ। ପାକିସ୍ତାନ ୧୯୭୧ ମସିହାରେ ଭାରତ ସହ ଯୁଦ୍ଧରେ ଦୁଇ ଦେଶ ଦ୍ୱାରା ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ରରେ ଲଢ଼ି ମଧ୍ୟ ହାରିଯାଇଥିଲା। ଆମେରିକା ଏବେ ବି ପାକିସ୍ତାନ ଉପରେ କୋହଳ ଶୁଳ୍କ ଲଗାଇ ସାହାଯ୍ୟ କରିଆସୁଛି। ଅଗଷ୍ଟ ପହିଲାରେ ଟ୍ରମ୍ପ ଏକ ନୂତନ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ଡଜନାଧିକ ଦେଶ ଉପରେ ଅଧିକ ଶୁଳ୍କ ଲାଗୁ କରାଯାଇଥିଲା। ମାତ୍ର ସେ ପାକିସ୍ତାନ ଉପରେ ଶୁଳ୍କ ୨୯ ପ୍ରତିଶତରୁ ୧୯ ପ୍ରତିଶତକୁ ହ୍ରାସ କରିଛନ୍ତି।
ଭାରତ କହିଛି ଆମେରିକା ନିଜେ ରୁଷ୍ ସହ ବାଣିଜ୍ୟ ଜାରି ରଖିଥିବା ବେଳେ ଟ୍ରମ୍ପ ଭାରତକୁ ରୁଷୀୟ ତୈଳ କ୍ରୟକୁ ନେଇ ପାରସ୍ପରିକ ଶୁଳ୍କ ବଢ଼ାଇବାକୁ ଧମକ ଦେଉଛନ୍ତି। ସୋମବାର ରିପବ୍ଲିକାନ୍ ନେତା ପୁଣି ଥରେ ଭାରତକୁ ଧମକ ଦେଇ କହିଛନ୍ତି ଯେ ସେ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ଯଥେଷ୍ଟ ଶୁଳ୍କ ବୃଦ୍ଧି କରିବେ- ଯାହା ପୂର୍ବରୁ ବୃଦ୍ଧି କରାଯାଇଥିବା ୨୫ ପ୍ରତିଶତ ଶୁଳ୍କଠାରୁ ଅଧିକ। ତେବେ ୟୁକ୍ରେନ୍ ସଂଘର୍ଷ ଆରମ୍ଭ ହେବା ପରେ ଯେତେବେଳେ ଭାରତ ରୁଷିଆରୁ ଆମଦାନି ଆରମ୍ଭ କଲା ସେତେବେଳେ ଆମେରିକା ଏହାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିଥିଲା ବୋଲି କହିଛି ଭାରତ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ଆମଦାନି ବିଶ୍ୱ ବଜାର ପରିସ୍ଥିତି ପାଇଁ ଏକ ଆବଶ୍ୟକତା ହୋଇଥିବା ବେଳେ ଏହାକୁ ସମାଲୋଚନା କରୁଥିବା ରାଷ୍ଟ୍ରମାନେ ନିଜେ ରୁଷ୍ ସହିତ ବାଣିଜ୍ୟରେ ଲିପ୍ତ ଅଛନ୍ତି, ଯଦିଓ ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ୨୦୨୪ରେ ରୁଷ୍ ସହ ୟୁରୋପୀୟ ସଂଘର ୬୭.୫ ବିଲିୟନ ୟୁରୋର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା। ଏହାବ୍ୟତୀତ ୨୦୨୩ରେ ଏହାର ସେବା କ୍ଷେତ୍ରରେ ୧୭.୨ ବିଲିୟନ ୟୁରୋ କାରବାର ହୋଇଥିଲା। ଏହା ସେହି ବର୍ଷ କିମ୍ବା ପରବର୍ତ୍ତୀ ସମୟରେ ରୁଷ୍ ସହିତ ଭାରତର ମୋଟ ବାଣିଜ୍ୟଠାରୁ ଯଥେଷ୍ଟ ଅଧିକ। ବାସ୍ତବରେ ୨୦୨୪ରେ ଏଲ୍ଏନ୍ଜିର ୟୁରୋପୀୟ ଆମଦାନି ରେକର୍ଡ ୧୬.୫ ନିୟୁତ ଟନ୍ରେ ପହଞ୍ଚିଛି, ଯାହା କି ୨୦୨୨ରେ ୧୫.୨୧ ନିୟୁତ ଟନ୍ର ଶେଷ ରେକର୍ଡକୁ ଅତିକ୍ରମ କରିଛି। କେବଳ ଶକ୍ତି ନୁହେଁ, ସାର, ଖଣି ଉତ୍ପାଦ, ଲୁହା ଓ ଇସ୍ପାତ, ଯନ୍ତ୍ରପାତି ଓ ପରିବହନ ଉପକରଣ ମଧ୍ୟ ୟୁରୋପ-ରୁଷିଆ ବାଣିଜ୍ୟରେ ଅନ୍ତର୍ଭୁକ୍ତ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp