କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନର ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର : ଭାରତୀୟ ସୀମା ମଧ୍ୟକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନୀ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ସଜାଗ ଭାରତୀୟ ସେନା ।

ମିଳିଥିବା ସୂଚନା ଅନୁସାରେ ନିୟନ୍ତ୍ରଣରେଖା ନିକଟରେ ଥିବା କୃଷ୍ଣଗଙ୍ଗା ନଦୀ ଦେଇ ଏହି ଚୋରାଚାଲାଣ ଉଦ୍ୟମ କରାଯାଉଥିଲା । ଏକ ଟ୍ୟୁବ ଭିତରେ ଅସ୍ତ୍ରଶସ୍ତ୍ର ଭର୍ତ୍ତିକରି ରସି ଦ୍ବାରା ଟାଣି ଟାଣି ଭାରତୀୟ ଅଞ୍ଚଳ ମଧ୍ୟକୁ ଅଣାଯାଉଥିଲା । ତେବେ ଆତଙ୍କବାଦୀଙ୍କ ଏପରି କୌଶଳକୁ ଭାରତୀୟ ସେନା ଠିକ ସମୟରେ ଧରିନେଇଥିଲା । ଭାରତୀୟ ଯବାନମାନେ ଉକ୍ତ ଟ୍ୟୁବକୁ ଉଦ୍ଧାର କରିବା ପରେ ସେଥିରୁ ୪ଟି ଏକେ-୭୪ ରାଇଫଲ, ୮ଟି ମାଗାଜିନ ଓ ୨୪୦ଟି ଏକେ ରାଇଫଲ ଗୁଳି ମିଳିଥିଲା । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ ।

ବିଗତ କିଛି ବର୍ଷ ହେଲା ଭାରତୀୟ ସେନାର ସତର୍କ ପ୍ରହରା ଓ ନିୟମିତ ଅପରେସନ ଯୋଗୁଁ ଭାରତୀୟ ସୀମା ମଧ୍ୟକୁ ପାକ୍ ପ୍ରାୟୋଜିତ ଆତଙ୍କବାଦୀଙ୍କ ପ୍ରବେଶ କଷ୍ଟକର ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିଜର ରଣକୌଶଳରେ କେତେକ ପରିବର୍ତ୍ତନ ଆଣିଛି । ସ୍ଥାନୀୟ ଯୁବକମାନଙ୍କୁ ପ୍ରବର୍ତ୍ତାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଛି । ସେମାନଙ୍କ ପାଇଁ ସୀମା ସେପଟୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରି ଅଣାଯାଉଛି । ବିଗତ କିଛି ବର୍ଷ ଧରି ପାକିସ୍ତାନ କଶ୍ମୀରଘାଟିକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିଚାଲିଛି ।

ସମ୍ବନ୍ଧିତ ଖବର