ଚୀନ ସୀମାରେ ବିପଦ ବଢୁଛି : ମୁତୟନ ହେବ ଆମେରିକା ନିର୍ମିତ ଚିନୁକ ହେଲିକପ୍ଟର, ହାଓ୍ଵିଜର ତୋପ

ନୂଆଦିଲ୍ଲୀ : ଚୀନପଟୁ ଦିନକୁ ଦିନ ବିପଦ ବଢୁଥିବାରୁ ଅରୁଣାଚଳ ପ୍ରଦେଶରେ ଚୀନକୁ ଲାଗିଥିବା ସୀମାରେ ଆମେରିକା ନିର୍ମିତ ଏମ୭୭୭ ଅଲଟ୍ରା ଲାଇଟ ହାଓ୍ଵିଜର ଗନ ମୁତୟନ କରିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଶେଷସୁଦ୍ଧା ଏହି ତୋପ ଭାରତୀୟ ସେନାରେ ସାମିଲ ହେବ । ୧୫୫ ଏମଏମ/୩୯ କାଲିବର ହାଓ୍ଵିଜର ଅପେକ୍ଷାକୃତ ହାଲକା ହୋଇଥିବାରୁ ଏହାକୁ ଖୋଲି ହେଲିକାପ୍ଟର ମାଧ୍ୟମରେ ଉଚ୍ଚ ପାର୍ବତ୍ୟାଞ୍ଚଳରେ ପହଞ୍ଚାଇହେବ । କେବଳ ଏତିକି ନୁହେଁ, ଚୀନ ସୀମାରେ ଭାରତ ଆମେରିକା ନିର୍ମିତ ଚିନୁକ ହେଭିଲିଫଟ ହେଲିକାପ୍ଟର ମଧ୍ୟ ମୁତୟନ କରିବ । ଏପରିକି ରାଫେଲ ବିମାନ ଆସିବାପରେ ତାହ ମଧ୍ୟ ମୁତୟନ ହୋଇପାରେ । ସବୁପରିସ୍ଥିତିର ମୁକାବିଲା ପାଇଁ ନବନିର୍ମିତ ଲଢୁଆ ମାଉଣ୍ଟେନ ଷ୍ଟ୍ରାଇକ କର୍ପସ ମଧ୍ୟ ମୁତୟନ କରାଯାଉଛି । ଏହା ସଂପୃକ୍ତ ଅଞ୍ଚଳରେ ଭାରତୀୟ ସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।


ଚୀନକୁ ନେଇ ଭାରତର ସମସ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ଏବେ ଖୋଲାଖୋଲି ପାକିସ୍ତାନର ସମର୍ଥନ କରୁଥିବାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଚୀନ ଭାରତକୁ ନିଜର ଶତ୍ରୁ ବୋଲି ଭାବୁଛି । ଅନେକ ସମୟରେ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଚୀନକୁ ଲାଗିଥିବା ସୀମାରେ ନିଜର ଶକ୍ତିବୃଦ୍ଧି କରୁଛି ଭାରତ । ଚୀନ ପାଖରେ ଆମେରିକୀୟ ଯୁଦ୍ଧାସ୍ତ୍ର ନଥିବାରୁ ଭାରତ ଆମେରିକୀୟ ଯୁଦ୍ଧାସ୍ତ୍ରକୁ ସୀମାରେ ମୁତୟନ କରିବାକୁ ବିଚାର କରୁଛି ।

ସମ୍ବନ୍ଧିତ ଖବର