ସୀମାରେ ଏୟାର ଡିଫେନ୍ସ ସିଷ୍ଟମ୍ ମୁତୟନ କରିବ ସେନା: ଭାରତୀୟ ସୀମା ଭିତରକୁ ଯୁଦ୍ଧ ବିମାନ ପଠାଇବା ପୂର୍ବରୁ ଚିନ୍ତା କରିବ ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱାମାରେ ସୁରକ୍ଷାବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦେଖାଦେଇଛି । ଶାନ୍ତିର ଦ୍ୱାହି ଦେଇ ପାକିସ୍ତାନ ଯେତେ ବନ୍ଧୁତ୍ୱର ହାତ ବଢାଉଥିଲେ ମଧ୍ୟ ଭାରତ ଆଉ ଭରସା କରୁନାହିଁ । ଏସବୁ ଭିତରେ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ପାକିସ୍ତାନ ସୀମାରେ ଏୟାର ଡିଫେନ୍ସ ୟୁନିଟକୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଆକାଶପଥରୁ ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା କରି ଭାରତୀୟ ସେନା ପକ୍ଷରୁ ଏଭଳି ସମରସଜ୍ଜା କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ପାକିସ୍ତାନର ଆକାଶ ପଥର ଆକ୍ରମଣକୁ ବେଶ ସହଜରେ ପ୍ରତିହତ କରିବାକୁ ଭାରତ ସକ୍ଷମ ହୋଇପାରିବ ।

ଭବିଷ୍ୟତରେ ପାକିସ୍ତାନ ପକ୍ଷରୁ ଯଦି ବାଲାକୋଟ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ତାହାର ପୁନରାବୃତ୍ତି ହୁଏ ତେବେ ସୀମାରେ ମୁତୟନ ହେବାକୁ ଥିବା ଏୟାର ଡିଫେନ୍ସ ସିଷ୍ଟମରେ ଶତ୍ରୁପକ୍ଷର ଆକ୍ରମଣକୁ ବିଫଳ କରାଯାଇପାରିବ । ଏହାପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟରେ ଲୁଚି ରହିଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଏୟାରଷ୍ଟ୍ରାଇକ କରିଥିଲା । କିନ୍ତୁ ଏୟାରଷ୍ଟ୍ରାଇକର ପରଦିନ ହିଁ ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ ଭାରତୀୟ ସୀମା ମଧ୍ୟକୁ ପଶି ସେନା ଶିବିର ଉପରେ ବୋମା ପକାଇଥିଲା । ସେତେବେଳେ ପାକିସ୍ତାନର ଏହି ଲଢୁଆ ବିମାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ଭାରତର ମିଗ୍ ବିମାନ ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଥିଲା ।

ପାକିସ୍ତାନ ପଟରୁ କୌଣସି ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏୟାର ଡିଫେନ୍ସ ସିଷ୍ଟମକୁ ସୀମାରେ ମୁତୟନ କରିବାକୁ ନିଷ୍ପତି ନେଇଛି । ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜମ୍ମୁ-କାଶ୍ମୀର, ପଞ୍ଜାବ,ଗୁଜୁରାଟ ଓ ରାଜସ୍ଥାନ ସୀମା ଅର୍ଥାତ ଯେଉଁ ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗି ରହିଛି ସେଠାରେ ମୁତୟନ କରାଯିବ । ଯାହା ଭାରତୀୟ ସେନା ପାଇଁ ସୁରକ୍ଷା କବଚ ଭଳି କାମ କରିବ ।

ସମ୍ବନ୍ଧିତ ଖବର