ଲଦାଖରେ ଦୀର୍ଘ ଦିନ ରହିବାକୁ ଭାରତୀୟ ସେନାର ଯୋଜନା, କିଣିବ ପ୍ରବଳ ଥଣ୍ଡା ସହିପାରୁଥିବା ସ୍ୱତନ୍ତ୍ର ଧରଣର ତମ୍ବୁ

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସୈନ୍ୟ ପଛକୁ ଫେରିଥିଲେ ମଧ୍ୟ ଭାରତୀୟ ସେନା ସଜାଗ ରହିଛି । ଚୀନ ସେନା ଉପରେ ସଂପୂର୍ଣ୍ଣ ଭରସା କରିପାରୁନାହିଁ ଭାରତ । ଏହାକୁ ଦୃଷ୍ଟିରେ ରଖି ଲଦାଖରେ ନିୟମିତ ଭାବେ ସୁରକ୍ଷା ବଢାଇବାକୁ ଚିନ୍ତା କରାଯାଉଛି । ବିଶେଷକରି ଲଦାଖରେ ବରଫ ପଡ଼ିବା ପର୍ଯ୍ୟନ୍ତ ସତର୍କ ରହିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି ।

ଏହାକୁ ଦୃଷ୍ଟିରେ ରଖି ପ୍ରବଳ ଶୀତ ସମ୍ଭାଳି ପାରୁଥିବା ତମ୍ବୁ ଖରିଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସିଆଚେନରେ ଭାରତୀୟ ସେନା ଯେଉଁ ସ୍ୱତନ୍ତ୍ର ଧରଣର ତମ୍ବୁ ବ୍ୟବହାର କରେ ସେପରି ତମ୍ବୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଚୀନ ସେନା ପୂର୍ବରୁ ହିଁ ଏପରି ସ୍ୱତନ୍ତ୍ର ଧରଣର ତମ୍ବୁ ବ୍ୟବହାର କରୁଛି । ଦୀର୍ଘଦିନ ଧରି ଲଦାଖରେ ରହିବାକୁ ହେଲେ ଭାରତୀୟ ସେନାକୁ ସ୍ୱତନ୍ତ୍ର ଧରଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷିତ ବାସସ୍ଥଳୀ ମଧ୍ୟ ଆବଶ୍ୟକ । ଏଥିପାଇଁ ସ୍ୱତନ୍ତ୍ର ଧରଣର ତମ୍ବୁ ଖରିଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟତଃ ଭାରତୀୟ କିମ୍ବା ୟୁରୋପୀୟ ବଜାରରୁ ଏପରି ତମ୍ବୁ କିଣିବାକୁ ଯୋଜନା କରାଯାଉଛି । ସେନାକୁ ଦିଆଯାଇଥିବା ୫୦୦ କୋଟିର ଜରୁରୀକାଳୀନ ଆର୍ଥିକ କ୍ଷମତାକୁ ଉପଯୋଗ କରି ଏହି ଖରିଦ କରାଯିବ । ଗତ ମାସରେ ସେନା ନିଜର ଏହି ଜରୁରୀ କାଳୀନ ଆର୍ଥିକ କ୍ଷମତା ଉପଯୋଗ କରି ଆମେରିକାକୁ ଏକ୍ସକାଲିବର ଗୋଳା ମଗାଇଥିଲା । ହାଓ୍ଵିଜର ତୋପରେ ଏହି ଗୋଳା ବ୍ୟବହାର କରାଯାଏ ।

ସମ୍ବନ୍ଧିତ ଖବର