ବଜ୍ର ଭଳି କଠୋର, ଫୁଲ ପରି କୋମଳ

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ନିୟନ୍ତ୍ରଣ ରେଖା ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ପାକିସ୍ତାନର ପ୍ରତିଟି ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଉଛି। ଜମ୍ମୁ କଶ୍ମୀରରେ ଥିବା ଭାରତୀୟ ସେନା ଓ ସୁରକ୍ଷା କର୍ମୀଙ୍କୁ ପାକ୍‌୍‌ ଆତଙ୍କବାଦୀମାନେ ଲଗାତାର ଟାର୍ଗେଟ୍‌ କରି ଆସୁଛନ୍ତି। ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ଭାରତୀୟ ସେନା ସବୁ ପରିସ୍ଥିତିକୁ ଦୃଢ଼ତାର ସହ ସାମ୍ନା କରୁଛି। ପାକିସ୍ତାନୀ ସେନାର ଷଡ଼ଯନ୍ତ୍ର ଏବଂ ପାକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ବିରୋଧରେ ଭାରତୀୟ ସେନା ବଜ୍ର ଭଳି କଠୋର ଥିବା ବେଳେ ନିରୀହ ପାକ୍‌ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୋମଳ ବ୍ୟବହାର ପ୍ରଦର୍ଶନ କରିଛି। ବିଭିନ୍ନ ସମୟରେ ଭାରତୀୟ ସୀମାକୁ ପଶି ଆସିଥିବା ନିରୀହ ଶିଶୁ, ଯୁବକ ଏବଂ ଅନ୍ୟ ସାଧାରଣ ଲୋକଙ୍କୁ ଭାରତ ସୁରକ୍ଷିତ ଫେରାଇଥିବା ନଜିର ରହିଛି । ଆଜି ଭୁଲବଶତଃ ଭାରତ ସୀମାକୁ ପଶି ଆସିଥିବା ଏକ ପାକ୍‌ ନାବାଳକ(୧୧)କୁ ଭାରତୀୟ ସେନା ମିଠା ପ୍ୟାକେଟ ଦେଇ ସୀମା ଆରପଟେ ଛାଡି ଦେଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଦେଗଓ୍ଵାର ଅଞ୍ଚଳରେ ମହମ୍ମଦ ଅବଦୁଲ୍ଲା ନାମକ ଜଣେ ନାବାଳକ ଭାରତୀୟ ଅଂଚଳକୁ ପଳାଇ ଆସିଥିଲା। ବାଳକକୁ ସୁରକ୍ଷିତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରି ଭାରତୀୟ ସେନା ବିଶାଳ ହୃଦୟର ପ୍ରମାଣ ଦେଇଛି। ୨୦୧୬ ଅକ୍ଟୋବରରେ ମଧ୍ୟ ଜଣେ ୧୨ ବର୍ଷୀୟ ପାକ୍‌ ବାଳକ ମହମ୍ମଦ ତନ୍‌ବୀର ଭାରତୀୟ ସୀମାକୁ ପଶି ଆସିବା ପରେ ତାକୁ ସୁରକ୍ଷିତ ଫେରାଇବା ବ୍ୟବସ୍ଥା କରାଯାଇଥିଲା।

ଗୋଟିଏ ପଟେ ସେନାର ଏଭଳି କୋମଳତା ରହିଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କ ବିରୋଧରେ ସେନା କିଭଳି କଠୋର ହୋଇପାରେ ତାହା ୨୮-୨୯ ସେପ୍‌୍‌ଟେମ୍ବର ୨୦୧୬ ରାତିରେ ପାକିସ୍ତାନର ଅଂଚଳରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରୁ ପ୍ରମାଣିତ ହେଉଛି। ସର୍ଜିକାଲ ଷ୍ଟ୍ରାଇକ୍‌ର ୨ ବର୍ଷ ପରେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଉରିରେ ଭାରତୀୟ ସେନା ଶିବିର ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୧୯ ଜଣ ଯବାନ ସହିଦ ହେବାପରେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ସାକାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ୧୫୦ କମାଣ୍ଡୋ ଭାଗ ନେଇଥିଲେ। ଅତ୍ୟନ୍ତ ସତର୍କତାର ସହିତ ଏହି କମାଣ୍ଡୋମାନେ ପାକିସ୍ତାନ ନିୟନ୍ତ୍ରଣରେ ଥିବା ଅଂଚଳରେ ପହଞ୍ଚିଥିଲେ। ଆତଙ୍କବାଦୀଙ୍କ ୩ଟି କ୍ୟାମ୍ପ୍‌କୁ ଭାରତୀୟ ସେନା ସମୂଳେ ଧ୍ୱଂସ କରିଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଆତଙ୍କବାଦୀଙ୍କ ସହ ଥିବା ପାକିସ୍ତାନ ସେନାର ୨ ଜଣ ଯବାନ ମଧ୍ୟ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର