ପାକିସ୍ତାନୀ ବାଟ୍‌ ଟିମ୍‌ର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଭାରତୀୟ ସେନା ଜାରି କଲା ଭିଡିଓ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର କେରନ୍‌ ସେକ୍ଟର ସ୍ଥିତ ଏଲ୍‌ଓସିରେ ପାକିସ୍ତାନର ବାଟ୍‌ (ବର୍ଡର ଆକ୍ସନ୍‌ ଟିମ୍‌)ଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଦ୍ବାରା ପଣ୍ଡ କରି ଦିଆଯାଇଛି ଏବଂ ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ଦ୍ବାରା ନିପାତ କରାଯାଇଛି। ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ପାକିସ୍ତାନୀ ବାଟ୍‌ ଟିମ୍‌ର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ଆଜି ଏନେଇ ଏକ ଭିଡିଓ ଜାରି ହୋଇଛି। ଭିଡିଓଟିରେ ନିପାତ ହୋଇଥିବା ବ୍ୟାଟ୍‌ ସଦସ୍ୟମାନଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଧାରା ୩୭୦ ଉଚ୍ଛେଦ ଘୋଷଣା କରିବାର ଦିନକ ପରେ ବାଟ୍‌ ଟିମ୍‌ କେରନ୍‌ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିଥିବାବେଳେ ତାହା ପଣ୍ଡ କରି ଦିଆଯାଇଥିଲା। ଭାରତୀୟ ସେନାଦ୍ବାରା ୩ରୁ ୪ ଜଣ ଅନୁପ୍ରବେଶକାରୀଙ୍କୁ ନିପାତ ‌କରାଯାଇଥିଲା। ଏହି ଘଟଣା ପରେ ପାକିସ୍ତାନ ଏଲ୍‌ଓସିରେ ସୈନ୍ୟ ମୁତୟନ ବୃଦ୍ଧି କରିଛି ଏବଂ ଆତଙ୍କବାଦୀଙ୍କୁ ଜମ୍ମୁ କଶ୍ମୀରକୁ ଅନୁପ୍ରବେଶ କରିବା ପାଇଁ ସହ‌ଯୋଗ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆଗୁଆ ଘାଟି ଗୁଡ଼ିକରେ କଡ଼ା ସୁରକ୍ଷା ଅବଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ମଧ୍ୟ ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ବ୍ୟାଟ୍‌ର ୪ ଜଣ ସଦସ୍ୟ କିମ୍ବା କିଛି ଆତଙ୍କବାଦୀଙ୍କୁ ଏଲ୍‌ଓସି ନିକଟ‌ରେ ଚିହ୍ନଟ କରାଯାଇଛି। ହେଲେ ଏନେଇ ବିସ୍ତୃତ ଭାବେ କିଛି କୁହାଯାଇନଥିଲା।

ସମ୍ବନ୍ଧିତ ଖବର