ନୂଆଦିଲ୍ଲୀ: ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଜୀବନରେ ଅନେକ ଅସୁବିଧାରେ ପଡ଼ି ମଧ୍ୟ ଅସାଧାରଣ ସାହସ ଏବଂ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରି ଆଗକୁ ବଢ଼ି ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟି ଥାଆନ୍ତି। 

Advertisment

ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ଶନିବାର ଅନୁଷ୍ଠିତ ପାସିଂ ଆଉଟ୍ ପରେଡ୍ ସମୟରେ ଏପରି ଦୁଇଚଣ ସାହସୀ ମହିଳା ସାମିଲ ହୋଇଥିଲେ ଯାହାଙ୍କ ଜୀବନ କାହାଣୀ ଖୁବ ସଂଘର୍ଷପୂର୍ଣ୍ଣ ରହିଛି। ଏହି ଦୁଇଜଣ ମହିଳା ହେଲେ ସୋନି ବିଷ୍ଟ ଏବଂ ବେଦ ବିଜୟ ନିଓଗ। 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୋଟିଏ ମାସ ପୂର୍ବରୁ ସୋନି ବିଷ୍ଟଙ୍କ ଜୀବନରେ ଖୁସି ଭରିଛି। ଏହା ପୂର୍ବରୁ ସେ ଅନେକ ସମସ୍ୟା ଓ ସଂଘର୍ଷ ଦେଇ ଦିନ କାଟିଛନ୍ତି।   ସୋନିଙ୍କ ବିବାହର ମାତ୍ର ୩୪ଦିନ ପରେ ସ୍ବାମୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। 

ସ୍ୱାମୀଙ୍କ ମୃତ୍ୟୁ ପରେ ସୋନି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ପରେ ସେ ନିଜ ମନକୁ ଦୃଢ଼ କରି ସ୍ବାମୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ସେ ଭାରତୀୟ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ବ୍ରିଗେଡ ଅଫ୍ ଗାର୍ଡସ୍ ବାଟାଲିୟନର ଅବସରପ୍ରାପ୍ତ ସୁବେଦାର କୁନ୍ଦନ ସିଂହଙ୍କ ଝିଅ ସୋନି ଗତଶନିବାର ସେନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।

ପାସିଂ ଆଉଟ୍ ପରେଡରେ ଅଂଶଗ୍ରହଣ କରିଥିବା ଆଉ ଜଣେ ପ୍ରେରଣାଦାୟକ କ୍ୟାଡେଟ ହେଲେ ଆସାମର ଜୋରହାଟର ବେଦ ବିଜୟ ନିଓଗ।ବେଦ ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି।   ପରିବାର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଜଣେ ଖାଦ୍ୟ ବିତରଣ ଏଜେଣ୍ଟ ଭାବରେ କାମ କରିଛନ୍ତି। ଜଣେ ଫଟୋଗ୍ରାଫର ଭାବରେ ଦେଶ ସାରା ଭ୍ରମଣ କରିଛନ୍ତି। ଏସବୁ ଭିତରେ ଭାରତୀୟ ସେନାରେ ଯୋଗଦେବାର ସ୍ୱପ୍ନ ବେଦଙ୍କ ସର୍ବଦା ଜୀବିତ ରହିଥିଲା। 

ପାରିବାରିକ ଅସୁବିଧା ଯୋଗୁଁ ବେଦଙ୍କୁ ଭାରତୀୟ ସାମରିକ ଏକାଡେମୀ ଛାଡିବାକୁ ପଡିଥିଲା, କିନ୍ତୁ ସେ ହାର ମାନି ନଥିଲେ। କଠିନ ପରିଶ୍ରମ ଏବଂ ନିଷ୍ଠାର ସହିତ, ସେ ସିଡିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଟିଏରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ।

ପାସିଂ ଆଉଟ ପରେଡ ହେଉଛି ଜଣେ କ୍ୟାଡେଟର କଠୋର ତାଲିମ ଓ ଭଦ୍ରତାର ପରିଚାୟକ । ଯାହା ଜଣେ ଯୁବ କ୍ୟାଡେଟର ନିଷ୍ଠା ଓ ଉଦ୍ଦେଶ୍ୟକୁ ପ୍ରତିଫଳିତ କରିଥାଏ । ଆଇଏମଏ ପ୍ରତି ଛଅ ମାସରେ କ୍ୟାଡେଟମାନଙ୍କ ପାଇଁ ଏକ ପାସିଂ ଆଉଟ ପରେଡ ଆୟୋଜନ କରିଥାଏ । ଭାରତୀୟ ସେନାର ବିଭିନ୍ନ ବିଭାଗ, ସେବା ତଥା ବିଭିନ୍ନ ଦେଶର ସେନାରେ ଯୋଗଦେବାକୁ ଥିବା କ୍ୟାଡେଟମାନଙ୍କ ପାଇଁ ଏହା ଅନୁଷ୍ଠିତ ହୋଇଥାଏ ।