ଭାରତୀୟ ସେନାର ଉଗ୍ର ରୂପ ଦେଖି ପାକିସ୍ତାନ ଛାନିଆ, ସପ୍ତାହକ ମଧ୍ୟରେ ୬ ପାକ୍‌ ପୋଷ୍ଟ ଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ସେନାର ଉଗ୍ର ରୂପ ଦେଖି ଛାନିଆ ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଦ୍ୱାରା ବାରମ୍ବାର  ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବାରୁ ତାହାର କଡ଼ା ଜବାବ ଦେଉଛି ଭାରତୀୟ ସେନା । ଗତ ଏକ ସପ୍ତାହ ମଧ୍ୟରେ ପାକିସ୍ତାନର ୬ଟି ଆର୍ମି ପୋଷ୍ଟ ଧ୍ୱଂସ କରିଦେଇଛି ଭାରତୀୟ ସେନା । ଏହା ଫଳରେ ଛାନିଆ ହୋଇ ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଥିଲେ ମଧ୍ୟ ଭାରତ ତାହାକୁ ସ୍ୱୀକାର କରିନାହିଁ । ନିୟନ୍ତ୍ରଣ ରେଖା ସେପଟେ ଥିବା ପାକିସ୍ତାନ ସେନାର ପୋଷ୍ଟଗୁଡ଼ିକ ଅନେକ ଦିନ ଧରି ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌ ପାଇଁ ବ୍ୟବହାର ହୋଇଆସୁଛି । ଏହିଠାରୁ ପାକିସ୍ତାନ ପକ୍ଷରୁ ଭାରତକୁ  ଆତଙ୍କବାଦୀ ଛଡ଼ାଯାଉଛି । ପାକିସ୍ତାନର ବର୍ଡର ଆକ୍ସନ ଟିମ (ବ୍ୟାଟ୍‌)ର ସଦସ୍ୟମାନେ ମଧ୍ୟ ଏହି ପୋଷ୍ଟମାଧ୍ୟମରେ ଭାରତରେ ପ୍ରବେଶ କରି ଅପରେସନ କରୁଛନ୍ତି । ଏଣୁ ସେମାନେ ଭାରତରେ ପ୍ରବେଶ କରୁବା ପୂର୍ବରୁ ଭାରତୀୟ ସେନା ଆଗୁଆ ସେସବୁ ପୋଷ୍ଟଗୁଡ଼ିକୁ ନଷ୍ଟ କରିଦେଉଛି ।

ଗତ ସପ୍ତାହକ ମଧ୍ୟରେ ଏହିପରି ୬ଟି ଆର୍ମି ପୋଷ୍ଟ ଧ୍ୱଂସ କରିଦେଇଛି ଭାରତୀୟ ସେନା ।  ଗତ ସପ୍ତାହରେ ପୀର ପଞ୍ଜାଲ ରେଞ୍ଜ ଅଧିନସ୍ଥ ହାଜିପୀର ଅଂଚଳରେ ଭାରତୀୟ ସେନା ପ୍ରବଳ ଆକ୍ରମଣ ଚଳାଇ ପାକିସ୍ତାନର ଏକ ସେନା ପୋଷ୍ଟକୁ ଧ୍ୱଂସ କରିଦେଇଥିଲା । ସେନା ସୁତ୍ରରୁ ପ୍ରକାଶ ଯେ ଚଳିତ ବର୍ଷର ଏବେ ସୁଦ୍ଧା ପାକିସ୍ତାନ ତରଫରୁ ପ୍ରାୟ ୪୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଆହୁରି ମଧ୍ୟ ସୀମା ସେପଟେ ପ୍ରାୟ ୪ଶହରୁ ଅଧିକ ଆତଙ୍କବାଦୀ ଭାରତକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏସବୁ ଆଗୁଆ ଆକ୍ରମଣ କରାଯାଉଛି ।

ସମ୍ବନ୍ଧିତ ଖବର