ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍ ହ୍ୟୁମାନ୍ ସ୍ପେସ୍ଫ୍ଲାଇଟ୍ ପ୍ରୋଗ୍ରାମ୍’ର ଅଂଶବିଶେଷ। ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଇସ୍ରୋ କହିଛି | ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ଯିବାକୁ ଥିବାବେଳେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଶିକ୍ଷଣ ପାଇଁ ଋଷ ଯିବେ | ତେବେ ଆପଣ ଜାଣିଛନ୍ତି କି ଭାରତର ଏହି ୪ ଜଣ ମହାକାଶଚାରୀ ଅନ୍ତରୀକ୍ଷରେ କଣ ଖାଇବେ | ଏହି ମିଶନ ସମୟରେ ସେମାନଙ୍କୁ କିଏ ଖାଇବାକୁ ଦେବ | ଆଜି ଆମେ ଆପଣଙ୍କୁ ଏ ବାବଦରେ କହିବୁ |
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକର ମହୀଶୂରରେ ଥିବା ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ଲାବୋରଟୋରୀ ପକ୍ଷରୁ ଏହି ଅନ୍ତରୀକ୍ଷ ମିଶନ ପାଇଁ ୨୨ ପ୍ରକାରର ରାନ୍ଧଣା ପ୍ରସ୍ତୁତ କରାଯାଇଛି | ଏଥିରେ ଅଧିକ ଶକ୍ତି ଦେଉଥିବା ଖାଦ୍ୟ ସହ ଶୁଷ୍କ ଖାଦ୍ୟକୁ ସାମିଲ କରାଯାଇଛି | ଲାବୋରଟୋରୀ ପକ୍ଷରୁ ଏହି ସବୁ ଖାଦ୍ୟର ଯାଞ୍ଚ ପାଇଁ ଇସ୍ରୋକୁ ପଠାଇଦିଆଯାଇଛି | ଲାବୋରଟୋରୀର ନିର୍ଦ୍ଦେଶକ ଡାକ୍ତର ଅନିଲ ଦତ୍ତ କହିଛନ୍ତି ଯେ ୨୨ ପ୍ରକାର ରାନ୍ଧଣାକୁ ଅନ୍ତରୀକ୍ଷ ଯାତ୍ରୀ ଖାଇ ସ୍ୱାଦ ବାବଦରେ କହିବେ | ଯେଉଁ ଖାଦ୍ୟ ସେମାନଙ୍କୁ ଭଲ ଲାଗିବ ତାହା ସେ ସ୍ୱତନ୍ତ୍ର କମିଟିକୁ କହିବେ | ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଛି |
ଅନ୍ତରୀକ୍ଷ ଯାତ୍ରୀମାନେ ଖାଦ୍ୟ ପ୍ୟାକେଟକୁ ଗରମ କରି ଖାଇପାରିବେ | ଏହି ସବୁ ଖାଦ୍ୟ ପ୍ୟାକେଟ ବର୍ଷକ ଯାଏଁ ରଖାଯାଇପାରିବ | ଚିକେନ ତରକାରୀ ସହ ବିରିୟାନୀ ଭୋଜନ ପାଇଁ ଦିଆଯାଇଥିବାବେଳେ ଇଟିଲି ଓ ସାମ୍ବର ଜଳଖିଆ ପାଇଁ ଦିଆଯାଇଛି | ଏସବୁ ଖାଦ୍ୟକୁ ଗରମ କରି ଖାଇହେବ, କିନ୍ତୁ ପ୍ୟାକେଟ ଥରେ ଖୋଲିଲେ ଏହାକୁ ଖାଇବାକୁ ପଡିବ, ନଚେତ ଏହା ନଷ୍ଟ ହୋଇଯିବ | ଏଠାରେ ସୂଚନା ଥାଉ କି ୧୯୮୪ ମସିହାରେ ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ପାଇଁ ମଧ୍ୟ ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ଲାବୋରଟୋରୀ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା |