ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

ନୂଆଦିଲ୍ଲୀ:  ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି ।

ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇ ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍‌ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍‌-ୟୁଭି ଲାଇଟ ବା ଅଲ୍ଟ୍ରା ଭାୟୋଲେଟ ଆଲୋକ ଠାବ କରିବାରେ ସଫଳ ହୋଇଛି । ଏହି ତାରକାପୁଞ୍ଜର ନାମ ଏୟୁଡିଏଫ୍‌ଏସ୍‌ ୦୧ । ପୁଣେସ୍ଥିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ କେନ୍ଦ୍ରର ଦଳେ ଜ୍ୟୋର୍ତିବିଜ୍ଞାନୀ ଡ. କନକ ଶାହାଙ୍କ ନେତୃତ୍ୱରେ ଏହି ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି ।

ଏ ସଂକ୍ରାନ୍ତ ତଥ୍ୟ ବ୍ରିଟେନରୁ ପ୍ରକାଶ ପାଉଥିବା ପ୍ରମୁଖ ଆନ୍ତର୍ଜାତିକ ପତ୍ରିକା ‘ନେଚର୍‌ ଆଷ୍ଟ୍ରୋନୋମି’ରେ ପ୍ରକାଶ ପାଇଛି । ଏଥିରୁ ଏହି ଆବିଷ୍କାରର ଅଦ୍ୱିତୀୟ ଉପଲବ୍‌ଧି ଓ ମୌଳିକତାର ଗୁରୁତ୍ୱ ପ୍ରମାଣିତ ହେଉଛି । ଆଷ୍ଟ୍ରୋସାଟ୍‌ର ଏହି ସଫଳତାର ବିଶେଷତ୍ୱ ହେଲା ଯେ ଏହା ଯେଉଁ ଅଲଟ୍ରା ଭାୟୋଲେଟ ରଶ୍ମିକୁ ଠାବ କରିଛି ତାହାର ପୃଷ୍ଠଭୂମିରେ ଖୁବ୍‌କମ୍‌ ଶବ୍ଦ ଓ ଧ୍ୱନି ରହିଛି । ଏହା ପୂର୍ବରୁ ଆମେରିକାର ନାସାସ୍ଥିତ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଯେଉଁ ଚିତ୍ର ଉତ୍ତୋଳନ କରିଥିଲା ସେଥିରେ ପୃଷ୍ଠଭୂମିରେ ଅଧିକ ଧ୍ୱନି ରହୁଥିଲା ।

ଏହି ସଫଳତା ପାଇଁ ମନ୍ତ୍ରୀ ଶ୍ରୀ ସିଂହ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ପୁଣି ଥରେ ଏହା ପ୍ରମାଣିତ ହୋଇଛି ଯେ ଭାରତର ମହାକାଶ ଜ୍ଞାନକୌଶଳ ଏକ ସମ୍ମାନଜନକ ସ୍ତରକୁ ଉନ୍ନୀତ ହୋଇଛି । ଏହି ସ୍ତରରୁ ଭାରତୀୟ ମହାକାଶ ବିଜ୍ଞାନୀମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଖଗୋଳ ବିଶେଷଜ୍ଞମାନଙ୍କୁ ନୂଆ ନୂଆ ତଥ୍ୟ ପ୍ରଦାନ କରିବାକୁ ସମର୍ଥ ହେବେ ।

ସମ୍ବନ୍ଧିତ ଖବର