ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଜି ଅଭିଷେକ ଝଡ଼ ଦେଖିବାକୁ ମିଳିଛି । ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆଜି ମାତ୍ର ୩୭ ବଲରେ ଶତକ ଅର୍ଜନ କରିଛନ୍ତି । ଏହା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ୨ୟ ଦ୍ରୁତତମ ଶତକ । ପୂର୍ବରୁ ୨୦୧୭ରେ ରୋହିତ ଶର୍ମା ମାତ୍ର ୩୫ଟି ବଲରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଦ୍ରୁତତମ ଶତକ ଅର୍ଜନ କରିଥିଲେ ।
ଅଭିଷେକଙ୍କ ଶତକ (୫୪ ବଲ, ୧୩୫ ରନ) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୪୭ ରନ କରିବା ସହ ଇଂଲଣ୍ଡ ଆଗରେ ୨୪୮ ରନର ବିଶାଳ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିଲେ ବି ସଂଜୁ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା ଓ ସେ ମାତ୍ର ୩୭ ବଲରେ ଶତକ ଅର୍ଜନ କରିଥିଲେ । ସେ ମୋଟ ୧୩୫ ରନ କରିଥିଲେ । ସେହିପରି ଶିବମ ଦୁବେ ୩୦ ରନ କରିଥିଲେ । କିନ୍ତୁ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ ।