ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ବ‌େଳେ ଦୁର୍ଘଟଣା ଘଟିବାରୁ ଆମେରିକାର ଏକ ଘରୋଇ କମ୍ପାନିରେ ‘ସିଇଓ’ ଥିବା ସଞ୍ଜୟ ଶାହାଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ବେଳେ ରାମୋଜୀ ଫିଲ୍ମ ସିଟିରେ ଆମେରିକୀୟ କମ୍ପାନି ‘ଭିସ୍‌ଟେକ୍ସ୍‌’ର ୨ଦିନିଆ ରୌପ୍ୟ ଜୟନ୍ତୀ ପାଳନ ହେଉଥିଲା। ଗୋଟାଏ ଲୁହା ପଞ୍ଜୁରିରେ ପଶି ଉପରୁ କାର୍ଯ୍ୟକ୍ରମ ଚାଲିଥିବା ମଞ୍ଚକୁ ଓହ୍ଲାଇବା ପାଇଁ ‘ସିଇଓ’ ସଞ୍ଜୟ ଶାହା ଓ ତାଙ୍କ ସହକର୍ମୀ ରାଜୁ ଦାତ୍‌ଲା ମନସ୍ଥ କରିଥିଲେ। କିନ୍ତୁ, ଦୁହେଁ ପଶିଥିବା ଉକ୍ତ ପଞ୍ଜୁରିକୁ ତଳକୁ ଖସାଇବା ବେଳେ ତା’ର ଗୋଟିଏ ପଟେ ଲାଗିଥିବା ଜଞ୍ଜିର ଛିଡ଼ିଯିବାରୁ ସେମାନେ ୧୫ ଫୁଟ୍‌ ଉଚ୍ଚରୁ ତଳେ ଥିବା କଙ୍କ୍ରିଟ୍‌ ଡାଏସ୍‌ ଉପରେ କଚାଡ଼ି ହୋଇ ପଡ଼ିଲେ।

publive-image Image Courtesy of Quora

ଗୁରୁତର ଆହତ ଅବସ୍ଥାରେ ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନା ନିଆଗଲା। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ଶାହାଙ୍କର ମୃତ୍ୟୁ ଘଟିଲା। ଶାହାଙ୍କ ସହକର୍ମୀ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ଅଛି।

କମ୍ପାନିର ଆଉ ଜଣେ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ଫିଲ୍ମ ସିଟି ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ କର୍ତ୍ତୃପକ୍ଷଙ୍କ ନାମରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।