ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତି : ଆଗୁଆ ଘାଟିରେ ମୁତୟନ ହେଲେ ୧୫ ହଜାର ସୈନିକ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମାରେ ଏବେ ଯୁଦ୍ଧଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ସୋମବାର ରାତିରେ ଲଦାଖ୍‌ର ଗଲୱାନ ଘାଟିରେ ଭାରତୀୟ ସେନା ଉପରେ ଚୀନ୍‌ର ଷଡ଼ଯନ୍ତ୍ରପୂର୍ଣ୍ଣ ଆକ୍ରମଣ ପରେ ସ୍ଥିତି ଗମ୍ଭୀର ହୋଇଉଠିଛି। ଭାରତର ଅଂଚଳକୁ ନିଜ ଦଖଲକୁ ନେବାପାଇଁ ସୀମାରେ ଚୀନ୍‌ର ଯେ କୌଣସି ପ୍ରୟାସକୁ ପଣ୍ଡ କରିବା ପାଇଁ ଏବେ ସେନା ସର୍ବାଧିକ ଆଲର୍ଟରେ ରହିଛି। ଚୀନ୍‌ ତା’ର ବିସ୍ତାରବାଦୀ ଯୋଜନାରେ ଭାରତର ଇଞ୍ଚେ ଜମି ଅକ୍ତିଆର୍‌ କରିବାକୁ ପ୍ରୟାସ କଲେ ଚୀନ୍‌କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଭାରତ ଚେତାଇ ଦେଇଛି। ଆବଶ୍ୟକସ୍ଥଳେ ଏଲ୍‌ଏସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଥିବା ସୀମା ପରିଚାଳନା ନୀତି‌ରେ ବି ଭାରତ ବଡ଼ ପରିବର୍ତ୍ତନ କରିବାକୁ ପଛାଇବ ନାହିଁ ବୋଲି ଜଣାପଡ଼ିଛି। ଲଦାଖ୍‌ ଏବଂ ଉତ୍ତରାଖଣ୍ଡରେ ଚୀନ୍‌ ସୀମାରେ ଭାରତର ସେନା ମୁତୟନ ବଢ଼ାଇ ଦିଆଯିବା ସହ ବିପୁଳ ଯୁଦ୍ଧାସ୍ତ୍ର ଠୁଳ କରାଯାଇଛି। ଗଲ୍‌ୱାନ୍‌ ଘାଟିରେ ଚୀନ୍‌ ଭାରତର ଅଂଚଳକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବା ଏବଂ ୨୦ ଜଣ ସୈନିକ ସହିଦ ହେବାକୁ ଭାରତ ଅତି ଗମ୍ଭୀରତାର ସହ ନେଇଛି। ଚୀନ୍‌କୁ ତା’ ନିଜ ଭାଷାରେ ହିଁ ଜବାବ ଦିଆଯିବ। ଭାରତର ସୈନିକ ଇଞ୍ଚେ ବି ପଛକୁ ହଟିବେ ନାହିଁ। ଭୌଗୋଳିକ ଅଖଣ୍ଡତା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବନାହିଁ ନାହିଁ ଚୀନ୍‌କୁ ଜଣାଇ ଦିଆଯାଇଛି।

Times of India

ସୀମାରେ ବଡ଼ ଧରଣର ଲଢ଼େଇ ପାଇଁ ଭାରତ ବିଶାଳ ଯୋଜନା ଆରମ୍ଭ କରିଛି। ପାର୍ବତ୍ୟାଞ୍ଚଳରେ ମୁକାବିଲା ପାଇଁ ବହୁ ସଂଖ୍ୟାରେ ଟ୍ୟାଙ୍କ୍‌ ଓ ତୋପ ମୁତୟନ ହୋଇଛି। ୩,୪୮୮ କିମି ଏଲ୍‌ଏସିରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତୀୟ ସୈନ୍ୟ ବାହିନୀ ଯେ କୌଣସି ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଲଦାଖ୍‌ଠାରୁ ଆରମ୍ଭ କରି ଅରୁଣା‌ଚଳ ପ୍ରଦେଶ ପର୍ଯ୍ୟନ୍ତ ଏଲ୍‌ଏସି ନିକଟରେ ହାଇ ଆଲର୍ଟ ଜାରି କରାଯାଇଛି। ପୂର୍ବ ଲଦାଖ୍‌ରେ ଏଲ୍‌ଏସି ସ୍ଥିତ ଆଗୁଆ ଘାଟିଗୁଡ଼ିକରେ ୧୫ ହଜାର ଭାରତୀୟ ‌ସୈନିକ ମୁତୟନ ହୋଇଛନ୍ତି। ସ୍ଥଳସେନା, ବାୟୁସେନା ଏବଂ ନୌସେନା ଏବେ ହାଇ ଆଲର୍ଟରେ ଅଛନ୍ତି। ଅନ୍ୟପକ୍ଷେ ଚୀନ୍‌ ମଧ୍ୟ ଗଲ୍‌ୱାନ୍‌ ଘାଟି, ଦୌଲତ ବେଗ୍‌ ଓଲ୍‌ଡି , ଦେପସାଙ୍ଗ, ଚୁସୁଲ୍‌ ଏବଂ ପୂର୍ବ ଲଦାଖ୍‌ର ଅନ୍ୟ ସ୍ଥାନମାନଙ୍କରେ ଏହାର ସାମରିକ ଶକ୍ତି ବଢ଼ାଇ ଦେଇଛି। ଚୀନ୍‌ ଯଦି ପୁନର୍ବାର ଭାରତର ଅଂଚଳକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ଏହାର ଭୟଙ୍କର ଜବାବ ମିଳିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଲଦାଖ୍‌ ସ୍ଥିତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ‌ବୈଠକରେ ଭାରତ ଆଦୌ ସାଲିସ କରିବ ନାହିଁ କି ଏଲ୍ଏସିରେ ଭାରତୀୟ ସେନା ଇଞ୍ଚେ ବି ପଛକୁ ହଟିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ୩ ସେନାବାହିନୀକୁ ଜରୁରୀ ଅସ୍ତ୍ର କିଣିବାପାଇଁ କ୍ଷମତା ମିଳିସାରିଛି। ‌ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ବାରମ୍ବାର ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଳଂଘନ କରୁଥିବାରୁ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟ ଏହାର ସୈନିକମାନଙ୍କୁ ବିନା ଅସ୍ତ୍ରରେ ଆଗୁଆ ଘାଟିରେ ମୁତୟନ କରିବା ପ୍ରୋଟକଲ୍‌କୁ ପରିବର୍ତ୍ତନ କରିବାପାଇଁ ବିଚାରବିମର୍ଶ କରୁଛନ୍ତି। ୨୦୧୭ ଚୀନ୍‌ ଭାରତୀୟ ଅଂଚଳକୁ ୪୭୩ ଥର ଅନୁପ୍ରବେଶ କରିଥିବା ବେଳେ ୨୦୧୮ରେ ୪୦୪, ୨୦୧୯ରେ ୬୬୩ ଥର ଅନୁପ୍ରବେଶ କରିଛି।

ସମ୍ବନ୍ଧିତ ଖବର