ଇତିହାସ ରଚିଲା ଭାରତୀୟ ସିନେମା

‘ନାଟୁ ନାଟୁ’ ଗୀତକୁ ଓସ୍କାର, ଦ ଏଲିଫ୍ୟାଣ୍ଟ ହ୍ବିସ୍ପରର୍ସକୁ ବି ଓସ୍କାର

ନୂଆଦିଲ୍ଲୀ : ଭାରତୀୟ ସିନେମା ପାଇଁ ସୋମବାର ଥିଲା ଏକ ଐତିହାସିକ ଦିନ। ଶ୍ରେଷ୍ଠ ମୌଳିକ ସଙ୍ଗୀତ ବର୍ଗରେ ତେଲଗୁ ସି‌ନେମା ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ଏବଂ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସିନେମା ବର୍ଗରେ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପରର୍ସ’ ଓସ୍କାର ପୁରସ୍କାର ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଲସ୍‌ ଏଞ୍ଜେଲେସ୍‌ର ଡଲ୍‌ବି ଥିଏଟରରେ ଆୟୋଜିତ ୯୫ତମ ଓସ୍କାର ଆୱାର୍ଡ ପ୍ରଦାନ ସମୟରେ ଭାରତକୁ ଦୁଇଟି ପୁରସ୍କାର ମିଳିବା ପରେ ଦେଶରେ ଖୁସିର ଲହରି ଖେଳିଯାଇଛି।

ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମ୍‌ଏମ୍‌ କୀରାଭାନି ଏବଂ ଗୀତିକାର ଚନ୍ଦ୍ରାବୋଷ ଉକ୍ତ ପୁରସ୍କାରକୁ ମଞ୍ଚରେ ଗ୍ରହଣ କରିଛନ୍ତି। କଣ୍ଠଶିଳ୍ପୀ ରାହୁଲ ଶିଳ୍ପୀଗୁଞ୍ଜ ଏବଂ କାଳ ଭୈରବ ଏଥିରେ କଣ୍ଠଦାନ କରିଛନ୍ତି। ୨୦୨୨ ମାର୍ଚ୍ଚରେ ଏହି ଗୀତ ରିଲିଜ ହେବା ପରେ ସାରା ବିଶ୍ବରେ ଚହଳ ପକାଇଥିଲା। ଏସ୍‌ଏସ୍‌ ରାଜାମୌଲିଙ୍କ ଉକ୍ତ ସିନେମା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ପରେ ବିଶ୍ବରେ ଥିବା ସିନେମାପ୍ରେମୀ ଏହାକୁ ଦେଖିବାର ସୁଯୋଗ ‌ପାଇଥିଲେ।

ପୁରସ୍କାର ଗ୍ରହଣ କରିବା ଅବସରରେ ରାଜମୌଲି ଏବଂ ଭାରତୀୟଙ୍କ ଉଦ୍ଦେଶ୍ୟରେ କିରାଭାନି ଏକ ଗୀତ ଗାଇଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା। ଚଳିତବର୍ଷ ଗୋଲ୍‌ଡେନ ଗ୍ଲୋବ ସମେତ ଅନ୍ୟ ସମ୍ମାନଜନକ ପୁରସ୍କାର ମଧ୍ୟ ଏହି ଗୀତ ହାସଲ କରିଛି। ଓସ୍କାର ପୁରସ୍କାର ପ୍ରଦାନ ସମାରୋହରେ ଏହି ଗୀତ ସଂପର୍କରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ସୂଚନା ଦେବା ସମୟରେ ଦର୍ଶକମାନେ ପ୍ରବଳ କରତାଳି ସହିତ ଛିଡ଼ା ହୋଇ ସ୍ବାଗତ କରିଥିଲେ। ରାହୁଲ ଶିଳ୍ପୀଗୁଞ୍ଜ ଏବଂ କାଳ ଭୈରବ ଏହି ଗୀତକୁ ଗାଇଥିଲେ।

ଏଥିସହିତ ଗୁନିତ ମୋଙ୍ଗାଙ୍କ ପ୍ରଯୋଜିତ ଏବଂ କାର୍ତ୍ତିକୀ ଗନ୍‌ସାଲ୍‌ଭେସ୍‌ଙ୍କ ନିର୍ଦ୍ଦେଶିତ ତାମିଲ ଡକ୍ୟୁମେଣ୍ଟାରି ସିନେମା ଦ ଏଲିଫ୍ୟାଣ୍ଟ ହ୍ବିସପରର୍ସ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଓସ୍କାର ପୁରସ୍କାର ହାସଲ କରିଛି। ଏହି ସିନେମାର ବିଷୟବସ୍ତୁ ଦୁଇଟି ଅନାଥ ହାତୀଛୁଆ ଏବଂ ସେମାନଙ୍କ ଯତ୍ନ ନେଉଥିବା ଜନଜାତି ଦମ୍ପତିଙ୍କ ନିବିଡ଼ ସଂପର୍କ ଉପରେ ପର୍ଯ୍ୟବସିତ।

ଭାରତୀୟ ସିନେମାକୁ ଦୁଇଟି ବର୍ଗରେ ଓସ୍କାର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜନେତା ଏବଂ ଅଭିନେତାମାନେ ଏହାର ପ୍ରଶଂସା କରିଛନ୍ତି। ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିଥିବାରୁ ଦେଶ ଗର୍ବିତ ଏବଂ ଉତ୍‌ଫୁଲ୍ଲିତ। ଆଗାମୀ ବହୁବର୍ଷ ପାଇଁ ଏହି ଗୀତ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ଆର୍‌ଆର୍‌ଆର୍‌ର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ଦ ଏଲିଫ୍ୟାଣ୍ଟ ହ୍ବିସପର୍ସର ସବୁ ସଦସ୍ୟଙ୍କୁ ମଧ୍ୟ ଉକ୍ତ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଏଥିସହିତ ଗୃହମନ୍ତ୍ରୀ ଅମିତ ଶାହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ଜୟରାମ ରମେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କ ସମେତ ସିନେମା ଜଗତର ମହେଶ ଭଟ୍ଟ, ଅନୁପମ ଖେର, କମଲ ହାସନ ପ୍ରମୁଖ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଚଳିତବର୍ଷ ଓସ୍କାର ଉତ୍ସବରେ ଏଭ୍ରିଥିଙ୍ଗ୍ ଏଭ୍ରିହ୍ବେୟାର ଅଲ୍ ଆଟ୍ ୱାନ୍ସକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଏହି ସିନେମାର ଅଭିନେତ୍ରୀ ମାଇକେଲି ୟୋହଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବାବେଳେ ଦ ହ୍ବେଲ ସିନେମା ପାଇଁ ବ୍ରେନଡନ୍ ଫ୍ରେଜରଙ୍କୁ ଶ୍ରେଷ୍ଠ ‌ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଏଭ୍ରିଥିଙ୍ଗ ଏଭ୍ରିହ୍ବେୟାର ଅଲ୍ ଆଟ୍ ୱାନ୍ସ ପାଇଁ ଡାନିଏଲ କ୍ବାନ ଏବଂ ଡାନିଏଲ ସ୍କିନର୍ଟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, କି ହ୍ୟୁଏ କ୍ବାନଙ୍କୁ ଶ୍ରେଷ୍ଠ ସହ-ଅଭିନେତା, ଜେମି ଲି କର୍ଟିସଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‌ ଜର୍ମାନୀର ଅଲ୍ କ୍ବେଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ, ଗୁଇଲେର୍ମୋ ଡେଲ ଟୋରାସ୍‌ ପିନୋଚିଓକୁ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ ବର୍ଗରେ, ନାଭାଲନ୍ସିକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଛି।


BBC

ୟୁକ୍ରେନ ରାଷ୍ଟ୍ରପତି ଭବନରେ ଗୀତର ସୁଟିଂ
ବର୍ତ୍ତମାନ ଯୁଦ୍ଧ ପାଇଁ ଚର୍ଚ୍ଚାରେ ଥିବା ୟୁକ୍ରେନ ରାଷ୍ଟ୍ରପତିଙ୍କ ଭବନରେ ଏହି ଗୀତ ସୁଟିଂ ହୋଇଛି। ଏଥିପାଇଁ ପ୍ରୟୋଜକଙ୍କୁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିଥିଲା। ତେବେ ଏହି ଗୀତ ସୁଟିଂ ବେ‌ଳେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରି ନଥିଲା। ଗୀତରେ ଥିବା ଲନ୍ ଏବଂ ଫୁଆରା ୟୁକ୍ରେନ ରାଷ୍ଟ୍ରପତି ଭବନର। ଆରଆରଆର ସିନେମାର ଏହି ଗୀତରେ ଏନଟିଆର ଜୁନିୟର, ରାମ ଚରଣ, ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅଭିନେତା ଅଛନ୍ତି। ଉକ୍ତ ଗୀତର ସଂଗୀତ ନିର୍ଦ୍ଦେଶକ ଏମ୍‌ଏମ୍‌ କିରାଭାନି ‌ହୋଇଥିବାବେଳେ ଏହାକୁ କାଳ ଭୈରବୀ ଏବଂ ରାହୁଲ ଶିଳ୍ପୀଗୁଞ୍ଜ ଗାଇଛନ୍ତି।

‘ନାଟୁ’ ଅର୍ଥ ନାଚିବା
ଓସ୍କାର ପୁରସ୍କାର ଜିତିଥିବା ଏସ୍‌ଏସ୍‌ ରାଜମୌଳିଙ୍କ ସିନେମା ଆର୍‌ଆର୍‌ଆର୍‌ର ଚର୍ଚ୍ଚିତ ଗୀତ ନାଟୁ ନାଟୁରେ ବ୍ୟବହୃତ ନାଟୁ ଶବ୍ଦର ଓଡ଼ିଆ ଭାବାର୍ଥ ହେଉଛି ନାଚିବା ବା ନୃତ୍ୟ କରିବା। ଏହି ଗୀତରେ ବିଭିନ୍ନ ଲୋକମାନଙ୍କୁ ନଚାଇବା ପାଇଁ ଉଦାହରଣ ସବୁ ଦିଆଯାଇଛି। କିଏ କେଉଁଭଳି ନାଚିବେ ତାହା କୁହାଯାଇଛି। ଯେମିତି ବରଗଛ ତଳେ ପିଲାମାନେ ନାଚନ୍ତି, ଲୋକସଂସ୍କୃତିରେ ଦେବଦେବୀ ବେଶରେ ନୃତ୍ୟଶିଳ୍ପୀ କିଭଳି ନାଚନ୍ତି ଭଳି ଅନେକ ଉଦାହରଣ ଏହି ଗୀତରେ ଦେଇ ନାଚିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର