ଭାରତକୁ ପ୍ରବେଶ କରିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଡର୍ନିୟର ବିମାନ

ନୂଆଦିଲ୍ଲୀ: ଭାରତ ଜଳସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଭାରତ। ଗୁଜୁରାଟ ଉପକୂଳରେ ସାମୁଦ୍ରିକ ସୀମା ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜ। କିନ୍ତୁ ଭାରତୀୟ ତଟରକ୍ଷୀ ବାହିନୀର ଡର୍ନିୟର ବିମାନ ଦ୍ୱାରା ଏହା ଚିହ୍ନଟ ହେବା ପରେ ଏବେ ପାକ୍ ଜାହାଜକୁ ପଛକୁ ଫେରିବାକୁ ପଡ଼ିଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ଭାରତୀୟ ଜଳସୀମା ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ ଏହା ଭାରତୀୟ କୋଷ୍ଟଗାର୍ଡ ଡର୍ନିୟର ବିମାନ ଦ୍ୱାରା ଚିହ୍ନଟ ହୋଇଥିଲା। ଏହି ବିମାନଟି ନିକଟସ୍ଥ ବିମାନବନ୍ଦରରୁ ସାମୁଦ୍ରିକ ତଦାରଖ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ପାକିସ୍ତାନୀ ଯୁଦ୍ଧ ଜାହାଜକୁ ଦେଖିବା ପରେ, ଡର୍ନିୟର ଏହାର କମାଣ୍ଡ ସେଣ୍ଟରକୁ ଭାରତୀୟ ଜଳରେ ପାକ୍ ଯୁଦ୍ଧ ଜାହାଜର ଉପସ୍ଥିତି ବିଷୟରେ ଅବଗତ କରାଇଥିଲା ଏବଂ ଏହାର ତଦାରଖ ଜାରି ରଖିଥିଲା।

ସୂତ୍ରରୁ ପ୍ରକାଶ ଯେ ଡର୍ନିୟର ପାକିସ୍ତାନୀ ଯୁଦ୍ଧ ଜାହାଜକୁ ଚେତାବନୀ ଦେଇ ଏହାକୁ ନିଜ ଅଞ୍ଚଳକୁ ଫେରିବାକୁ କହିଥିଲା, କିନ୍ତୁ ପାକ୍ ଯୁଦ୍ଧ ଜାହାଜ ପଛକୁ ଫେରିନଥିଲା। ଏହା ପରେ ଡର୍ନିୟର୍ ପାକ୍ ଯୁଦ୍ଧ ଜାହାଜ ପିଏନ୍ଏସ୍ ଆଲାମଗିର୍ ଉପରେ ଘୁରି ବୁଲିଥିଲା। କାହିଁକି ଯୁଦ୍ଧ ଜାହାଜ ଭାରତ ସୀମାକୁ ପ୍ରବେଶ କରିଛି, ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପାକ୍ ଯୁଦ୍ଧ ଜାହାଜ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ପାକିସ୍ତାନୀ ଯୁଦ୍ଧ ଜାହାଜର କ୍ୟାପଟେନ ସମ୍ପୂର୍ଣ୍ଣ ନିରବତା ରକ୍ଷା କରିଥିଲେ ଏବଂ କୌଣସି ଉତ୍ତର ଦେଇନଥିଲେ। ହେଲେ ଡର୍ନିୟର ପାକିସ୍ତାନୀ ଯୁଦ୍ଧ ଜାହାଜ ସାମ୍ନାରେ ଦୁଇ ତିନିଥର ଉଡିବା ପରେ ଏହା ପଛକୁ ଫେରି ଭାରତ ସୀମାରୁ ବାହାରି ଯାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର