ପ୍ଲାଷ୍ଟିକ ବୋତଲ ଅପମିଶ୍ରଣକୁ ଅସ୍ୱୀକାର କଲେ ଭାରତୀୟ ପାଣି କମ୍ପାନି

ନୂଆଦିଲ୍ଲୀ: ପ୍ଲାଷ୍ଟିକ ପାଣି ବୋତଲ ଅପମିଶ୍ରିତ ତଥା ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଏକ ଆମେରିକୀୟ ସଂସ୍ଥା କରିଥିବା ଗବେଷଣାକୁ ଅସ୍ୱୀକାର କରିଛନ୍ତି ଭାରତୀୟ ପାଣି ବୋତଲ କମ୍ପାନିମାନେ । ଏସବୁ ବୋତଲ ପାଣିକୁ ବଜାରକୁ ଛାଡିବା ପୂର୍ବରୁ ଯଥେଷ୍ଟ ପରୀକ୍ଷା ନିରୀକ୍ଷା ଦେଇ ଗତି କରିବାକୁ ହୁଏ ବୋଲି ଏହି କମ୍ପାନିମାନେ କହିଛନ୍ତି । ବିସଲେରୀ କମ୍ପାନିର ସିଏମଡି ରମେଶ ଚୌହାନ କହିଛନ୍ତି ଯେ ତାଙ୍କ କମ୍ପାନି ପାଣିକୁ ୧୦ ଟି ପର୍ଯ୍ୟାୟରେ ଛାଣି ବିଶୁଦ୍ଧ କରିଥାଏ । କମ୍ପାନିର ନିଜର କ୍ୱାଲିଟି ଲାବ ଅଛି । କମ୍ପାନି ମଧ୍ୟ ବିଆଇଏସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ମାନେ । ଅନ୍ୟତମ କମ୍ପାନି ପେପସୀ ଯିଏକି ଆକ୍ୱାଫିନା ବ୍ରାଣ୍ଡରେ ପାଣି ବିକ୍ରି କରିଥାଏ ପକ୍ଷରୁ କୁହାଯାଇଛି ଯେ ଅତ୍ୟନ୍ତ କଠିନ କ୍ୱାଲିଟି ମାନଦଣ୍ଡ ଅନୁସାରେ କମ୍ପାନି ପାଣିକୁ ବିଶୁଦ୍ଧ କରିଥାଏ ।

ସୂଚନାଯୋଗ୍ୟ ଯେ ଆମେରିକାର ଏକ ଏନଜିଓ ଅରବ୍‌ ମିଡିଆ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ପ୍ଲାଷ୍ଟିକ ବୋତଲରେ ଥିବା ପାଣିରେ ପଲିପ୍ରୋପିଲିନ,ନାଇଲନ ଓ ପଲିଏଥିଲିନ ଟେରେପଥଲେଟ୍‌ ରହିଛି । ଅର୍ଥାତ୍‌ ଆପଣ ଯଦି ପ୍ଲାଷ୍ଟକ ବୋତଲରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଶରୀରକୁ ଏସବୁ ମାରାତ୍ମକ ମାଇକ୍ରୋପ୍ଲାଷ୍ଟିକ ଯାଉଛି ।

ସମ୍ବନ୍ଧିତ ଖବର