ନୂଆଦିଲ୍ଲୀ: ଉତ୍ତର ଚୀନ୍ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ପରେ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଶୁକ୍ରବାର ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଚୀନରେ ଏକ ଅଚିହ୍ନା ନିମୋନିଆ ରୋଗ ବହୁସଂଖ୍ୟାରେ ଶିଶୁମାନଙ୍କୁ ପ୍ରଭାବିତ କରିବା ପରେ ଡାକ୍ତର ଶୁକ୍ଳା ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବାହାରକୁ ଗଲାବେଳେ ମାସ୍କ ବ୍ୟବହାର କରିବା ଭଲ। ନିୟମିତ ହାତ ଧୋଇବା ଅଭ୍ୟାସ ମଧ୍ୟ ଭଲ। ଯଦି ପିଲା ସ୍କୁଲ ଯାଉଛନ୍ତି, ତେବେ ତାଙ୍କୁ ପଚାରନ୍ତୁ ତାଙ୍କ କ୍ଲାସରେ କୌଣସି ପିଲା ଅସୁସ୍ଥ ଅଛନ୍ତି କି ନାହିଁ। ଯଦି ଥାନ୍ତି ତେବେ ସ୍କୁଲ ଶିକ୍ଷକଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ଏବଂ ଯଦି ଆପଣଙ୍କ ପିଲା ଅସୁସ୍ଥ ଅଛନ୍ତି ତେବେ ତାଙ୍କୁ ସ୍କୁଲ ପଠାନ୍ତୁ ନାହିଁ।
ଚୀନରେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଯାଉଥିବା ଛୋଟ ପିଲାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ଏବଂ କେତେକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ପ୍ରାୟ ୧୨୦୦ ପିଲା ଭର୍ତ୍ତି ହେଉଛନ୍ତି। ଡାକ୍ତର ଶୁକ୍ଳା କହିଛନ୍ତି ଯେ କୋଭିଡ୍ ଏବଂ କଠୋର ଲକ୍ଡାଉନ୍ ଯୋଗୁଁ ସାଧାରଣ ଜନତା ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବା ଫଳରେ ଚୀନରେ ସଂକ୍ରମଣ ବୃଦ୍ଧି ପାଇଛି। ଦେଶର ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗ ଓ ନିମୋନିଆ ବୃଦ୍ଧି ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍ଠାରୁ ବିସ୍ତୃତ ସୂଚନା ମାଗିଛି। ଡାକ୍ତର ଶୁକ୍ଳା ଆହୁରି କହିଛନ୍ତି ଯେ ଭାରତରେ ଏହି ରୋଗକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଦେଶରେ ଏହାର ଲକ୍ଷଣ ଏପର୍ଯ୍ୟନ୍ତ ଦେଖାଯାଇନାହିଁ। ଭାରତରେ ଏ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ଜଣେ ବି ରୋଗୀ ଚିହ୍ନଟ ହୋଇନାହାନ୍ତି। ଚୀନ୍ ବ୍ୟତୀତ ଭାରତର କୌଣସି ସ୍ଥାନ କିମ୍ବା ବିଶ୍ୱର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ପାଇନାହିଁ।