କରୋନା ସଂକ୍ରମଣ ବଢୁଥିବାବେଳେ ୧୦ ଗୁଣ ଅଧିକ ଭଡା ଦେଇ ଦୁବାଇ ଯାଉଛନ୍ତି ଭାରତୀୟ

୮ ହଜାର ଟଙ୍କା ବଦଳରେ ୮୦ ହଜାର ଟଙ୍କା ଗଣୁଛନ୍ତି ବିମାନ ଯାତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ କିଛି ଭାରତୀୟ ଭାରତ ଛାଡି ଦୁବାଇ ଯିବାରେ ଲାଗିଛନ୍ତି | ସ୍ଥିତି ଏମିତି ହୋଇଛି ଯେ, ଦୁବାଇ ଯିବାକୁ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି | ଆଉ ସେଥିପାଇଁ ଦୁବାଇ ଯାଉଥିବା ଭାରତୀୟ ସାଧାରଣ ଭଡ଼ାଠାରୁ ୧୦ ଗୁଣ ଅଧିକ ଭଡା ଦେଇ ଯାଉଛନ୍ତି |  ତେବେ କେବଳ ଏତିକି ନୁହେଁ ଲୋକ ବ୍ୟକ୍ତିଗତ ଚାଟାର୍ଡ ବିମାନ ମଧ୍ୟ ଭଡା କରି ଦୁବାଇ ଚାଲିଯାଉଛନ୍ତି | ତେବେ କୁହାଯାଉଛି ଯେ ୟୁଏଇକୁ ସାମୟିକ ସମୟ ପାଇଁ ବିମାନ ସେବା ବନ୍ଦ କରିବାକୁ ଯୋଜନା କରାଯାଉଥିବାରୁ ଲୋକ ଏବେ ବହୁ ସଂଖ୍ୟାରେ ଦୁବାଇ ଚାଲିଯାଉଛନ୍ତି |

ମିଳିଥିବା ସୂଚନା ମୁତାବକ ଭାରତ-ୟୁଏଇ ମଧ୍ୟରେ ଆକାଶପଥ ଏକ ବ୍ୟସ୍ତତମ ରୁଟ ହୋଇଥିବାବେଳେ ଏବେ ଦୁବାଇ ଯିବାକୁ ହେଲେ ପ୍ରାୟ ଜଣକ ପିଛା ୮୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି | ପୂର୍ବରୁ ଏହି ମୂଲ୍ୟ ୮ ହଜାର ଟଙ୍କା ଥିଲା | ତେବେ ବଡ କଥା ଯେ ଏତେ ମୂଲ୍ୟ ସତ୍ତ୍ୱେ ରବିବାର ଠାରୁ ଦୁବାଇ ଯିବାକୁ ଥିବା କୌଣସି ବିମାନରେ ଟିକଟ ଉପଲବ୍ଧ ନାହିଁ |

ବିମାନ ସେବା ଯୋଗାଉଥିବା ଏକ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ବ୍ୟକ୍ତିଗତ ଚାଟାର୍ଡ ପ୍ଲେନ ମଧ୍ୟ ଭଡା କରି ଲୋକ ଦୁବାଇ ଯିବାକୁ ଚାଁହୁଛନ୍ତି | ଲୋକମାନେ ଦଳଗତ ଭାବେ ଏକ ଚାଟାର୍ଡ ପ୍ଲେନ ଭଡା କରିବାକୁ ଏବେ ଆଗ୍ରହ ପ୍ରକାଶ କରୁଛନ୍ତି | ମୁମ୍ବାଇରୁ ଦୁବାଇ ଯାଉଥିବା ବ୍ୟକ୍ତିଗତ ଚାଟାର୍ଡ ପ୍ଲେନ(୧୩ଟି ଆସନ ବିଶିଷ୍ଟ)ର ଭଡା ୩୮ ହଜାର ଡଲାର ଥିବାବେଳେ ୬ଟି ଆସନ ବିଶିଷ୍ଟ ଚାଟାର୍ଡ ପ୍ଲେନର ଭଡା ୩୧ ହଜାର ଡଲାର ରହିଛି |

ସମ୍ବନ୍ଧିତ ଖବର