୧୦ ମାସ ପରେ କାବୁଲରେ ପୁଣି ଖୋଲିଲା ଭାରତୀୟ ଦୂତାବାସ

କାବୁଲ : ୧୦ ମାସ ବନ୍ଦ ରହିବା ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଖୋଲିଛି ଭାରତୀୟ ଦୂତାବାସ । ଏହା ସହିତ ଭୂକମ୍ପ ବିଧ୍ବସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକନିକାଲ ଟିମ ସମେତ କେତେକ କୂଟନୀତିଜ୍ଞଙ୍କୁ ପଠାଯାଇଛି ।

ଭାରତ ଦ୍ବାରା କୂଟନିତିଜ୍ଞ ପଠାଇବାକୁ ତାଲିବାନ ପକ୍ଷରୁ ସ୍ବାଗତ କରାଯାଉଛି । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ କହର ବଲଖି କହିଛନ୍ତି ଯେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ ଆଫଗାନିସ୍ତାନର ସୁରକ୍ଷା ସ୍ଥିତିରେ ଆସିଥିବା ଉନ୍ନତିକୁ ଦର୍ଶାଉଛି ।

ଜୁନ ପ୍ରଥମ ସପ୍ତାହରେ ଭାରତ କାବୁଲକୁ ଏକ ସରକାରୀ ଟିମ୍ ପଠାଇବା ପରେ ଭାରତ ଓ ତାଲିବାନ ମଧ୍ୟରେ ସଂପର୍କ ବୃଦ୍ଧି ପାଇଥିଲା । ତାଲିବାନ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ କାବୁଲରେ ପୁଣି ଦୂତାବାସ ଖୋଲିବାକୁ ଭାରତକୁ ଅନୁରୋଧ କରିଥିବା ବେଳେ ଭାରତରେ ନିଜ ସେନା ତାଲିମ ନିଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଭାରତ ସହ କୂଟନୈତିକ ସମ୍ପର୍କ ସ୍ଥାପନ ହେଉଛି ପ୍ରଥମ ପଦକ୍ଷେପ ଏବଂ ଭାରତ କାବୁଲକୁ ସରକାରୀ ଟିମ୍‌ ପଠାଇବା ହେଉଛି ଏହାର ପ୍ରାରମ୍ଭ ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଅଧିକାର ପରେ ଭାରତ କାବୁଲରେ ଥିବା ନିଜର ଦୂତାବାସକୁ ବନ୍ଦ କରିଦେଇଥିଲା । ଏହା ସହିତ ସବୁ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରାଇ ଅଣାଯାଇଥିଲା ।

 

ସମ୍ବନ୍ଧିତ ଖବର