ନୂଆଦିଲ୍ଲୀ: ତେଲେଙ୍ଗାନା ଇଞ୍ଜିନିୟର ମହମ୍ମଦ ନିଜାମୁଦ୍ଦିନଙ୍କର ଆମେରିକୀୟ ପୁଲିସ ଗୁଳିମାଡ଼ରେ ମୃତ୍ୟୁ ହୋଇଯାଇଛି।  ନିଜାମୁଦ୍ଦିନଙ୍କର ତାଙ୍କର ଜଣେ ରୁମ୍‌ମେଟ୍‌ଙ୍କ ସହ ଝଗଡ଼ା ହେବା ପ‌ରେ ଏହି ଦୁଃଖଦାୟକ ସ୍ଥିତି ଉପୁଜିଛି। ସାଣ୍ଟାକ୍ଲାରା ପୁଲିସ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଶେଷ ଲିଙ୍କେଡ୍‌ଇନ୍‌ ପୋଷ୍ଟ୍‌ରୁ ଜଣାପଡ଼ିଛି ଯେ ସେ ବର୍ଣ୍ଣଭେଦ ଘୃଣାଭାବର ଶିକାର ହୋଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଗୁଗ୍‌ଲ ତାଙ୍କୁ ଭୁଲ୍‌ ଭାବେ ଚାକିରିରୁ ବିଦା କରିଦେଇଛି। ନିଜାମୁଦ୍ଦିନଙ୍କ ପରିବାର ସଦସ୍ୟ ମଧ୍ୟ ଭାରତରେ ଅଭିଯୋଗ କରିଛନ୍ତି, ଆମେରିକାରେ ତାଙ୍କ ପୁଅ ବର୍ଣ୍ଣଭେଦର ଶିକାର ହୋଇଛି। ୨୯ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ନିଜାମୁଦ୍ଦିନଙ୍କ ଘର ତେଲେଙ୍ଗାନାର ମହବୁବ୍‌ନଗର ଜିଲ୍ଲାରେ।

Advertisment

ବର୍ଣ୍ଣଭେଦ ଘୃଣାଭାବର ଶିକାର ହୋଇଥିଲେ
ବି‌ଦେଶ ମନ୍ତ୍ରାଳୟର ସହଯୋଗ ଲୋଡ଼ିଲେ ପରିବାର

ରୁମ୍‌ମେଟ୍‌ଙ୍କ ସହ ଝଗଡ଼ା ହେବା ପରେ ପୁଲିସ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ନିଜାମୁଦ୍ଦିନଙ୍କ ବାପା ମହମ୍ମଦ ହସନୁଦ୍ଦିନ କହିଛନ୍ତି ଯେ ନିଜାମୁଦ୍ଦିନଙ୍କର ଜଣେ ସାଙ୍ଗ   ମୃତ୍ୟୁ ଖବର ଦେଇଥିଲେ। ତେବେ କେଉଁ କାରଣ ପାଇଁ ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା ସ୍ପଷ୍ଟ ଜଣାପଡ଼ିନି। ପରିବାର ସଦସ୍ୟ ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।  ଉଲ୍ଲେଖଯୋଗ୍ୟ,  ୨୦୨୧ରୁ ୨୦୨୪ ମଧ୍ୟରେ ଇପିଏମ୍‌ଏ୍‌ ସିଷ୍ଟମ୍‌ ଦ୍ବାରା ଗୁଗ୍‌ଲ ପାଇଁ କାମ କରିଥିବା ନିଜାମୁଦ୍ଦିନ ବର୍ଣ୍ଣଭେଦର ଶିକାର ହୋଇଥିଲେ।  ତାଙ୍କ ପରିବାର ସଦସ୍ୟଙ୍କ ଅନୁଯା‌ୟୀ ସେ ୨ ଜଣଙ୍କ ସହ ରହୁଥିଲେ ଏବଂ ସେମାନେ ଆମେରିକୀୟ ନାଗରିକ।

ନିଜାମୁଦ୍ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ ସେ ଚାକିରି କ୍ଷେତ୍ରରେ ବର୍ଣ୍ଣଭେଦର ଶିକାର ହୋଇଛନ୍ତି। ଚାକିରିରୁ ବିଦା ହେବା ସ‌ତ୍ତ୍ବେ ବି ଏହା ବନ୍ଦ ହୋଇନଥିଲା।  ଅନ୍ୟପକ୍ଷେ ସା‌ଣ୍ଟା‌ କ୍ଲାରା ପୁଲିସ ମୁଖ୍ୟ କୋରି ମୋରଗାନ୍‌ କହିଛନ୍ତି, ଭାରତୀୟ ଇଞ୍ଜିନିୟରଙ୍କର ତାଙ୍କ ରୁମ୍‌ମେଟ୍‌ଙ୍କ ସହ ଝଗଡ଼ା ବଢ଼ି ହିଂସାରେ ପରିଣତ ହୋଇଥିଲା। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳେ ନିଜାମୁଦ୍ଦିନଙ୍କ ହାତରେ ଏକ ଛୁରି ଥିଲା ଏବଂ ସେ ଆକ୍ରମଣ ପାଇଁ ଧମକାଇଥିଲେ। ଏହି ସମୟରେ ପୁଲିସ ଟିମ୍‌ ଘର ଭିତରକୁ ଧସେଇ ପଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ କହିଛନ୍ତି। ଅନ୍ୟପକ୍ଷେ ନିଜାମୁଦ୍ଦିନଙ୍କ ବାପା ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।  ପୁଅର ମର ଶରୀର ଫେରାଇ ଆଣିବାରେ ସହଯୋଗ କରିବା ପାଇଁ ସେ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି।