ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପରେ ୩ ପାକିସ୍ତାନୀ ସାମ୍ବାଦିକଙ୍କୁ ବାକ୍ୟବାଣରେ ଚୁପ୍ କଲେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:  କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକ ପରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଭାରତୀୟ ରାଷ୍ଟ୍ରଦୂତ ତଥା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ତିନି ଜଣ ପାକିସ୍ତାନୀ ସାମ୍ବାଦିକ ତାଙ୍କୁ ବିଭିନ୍ନ ପ୍ରଶ୍ନ କରି ଅଡ଼ୁଆରେ ପକାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ଅତ୍ୟନ୍ତ ଚତୁରତାର ସହ ଏହାର ଜବାବ ଦେଇ ସେମାନଙ୍କ ମୁହଁ ବନ୍ଦ କରିଥିଲେ।

ତାଙ୍କୁ ଜଣେ ପାକିସ୍ତାନୀ ସାମ୍ବାଦିକ ପ୍ରଶ୍ନ କଲେ- ଭାରତ କେବେ ପାକିସ୍ତାନ ସହିତ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ କରିବ? ଏହାର ଉତ୍ତର ଦେବାକୁ ଯାଇ ଅକବରୁଦ୍ଦିନ ମଞ୍ଚରୁ ଓହ୍ଲାଇ ଉକ୍ତ ସାମ୍ବାଦିକଙ୍କୁ ନିକଟକୁ ଚାଲିଯାଇ କହିଥିଲେ, ଚାଲନ୍ତୁ ଆପଣଙ୍କଠାରୁ ଆରମ୍ଭ କରିବା, ଆପଣ ହାତ ବଢ଼ାନ୍ତୁ। ଏହାପରେ ପାକିସ୍ତାନୀ ସାମ୍ବାଦିକଙ୍କ ସହ କରମର୍ଦ୍ଦନ କରି ସାରି କହିଥିଲେ, ଭାରତ ସିମଲା ରାଜିନାମାକୁ ଗ୍ରହଣ କରିବା କଥା କହି ବନ୍ଧୁତାର ହାତ ବଢ଼ାଇ ସାରିଛି। ଏବେ ପାକିସ୍ତାନ ଏହାର ଜବାବରେ କ’ଣ କରୁଛି ତାହାକୁ ଆମେ ଅପେକ୍ଷା କରିଛୁ।

ସେହିପରି ଆଉ ଜଣେ ପାକିସ୍ତାନୀ ସାମ୍ବାଦିକ ପଚାରିଲେ-ଭାରତ କାହିଁକି ଆଲୋଚନା ଲାଗି ପାକ ପ୍ରସ୍ତାବକୁ ଗ୍ରହଣ କରୁନାହିଁ? ଏହାର ଉତ୍ତରରେ ଅକବରୁଦ୍ଦିନ୍ ଚଟାପଟ କହିଥିଲେ, କଥାବାର୍ତ୍ତା ଲାଗି ପ୍ରଥମେ ଆତଙ୍କବାଦ ବନ୍ଦ କରନ୍ତୁ।

ଅନ୍ୟ ପକ୍ଷରେ ଅକବରୁଦ୍ଦିନ ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଚାଲି ଯାଇଥିବା ପାକିସ୍ତାନ ଓ ଚୀନର ପ୍ରତିନିଧିଙ୍କୁ ମଧ୍ୟ କଟାକ୍ଷ କରିବାକୁ ଭୁଲି ନ ଥିଲେ। ସେ ଉପସ୍ଥିତ ବିଭିନ୍ନ ଦେଶର ସାମ୍ବାଦିକମାନଙ୍କୁ କହିଥିଲେ, ଏଠାକୁ ଆସିଥିବା ଲୋକମାନେ ଚୁପଚାପ ଚାଲିଗଲେ, କିନ୍ତୁ ଏକ ମୁକ୍ତ ଗଣତନ୍ତ୍ରର ପ୍ରତିନିଧି ଭାବେ ମୁଁ  ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବି।

ସମ୍ବନ୍ଧିତ ଖବର