ଚୀନ୍‌ ପୁଣି ସେନା ମୁତୟନ ବଢ଼ାଇଲା

ଏଲଏସିରେ ଭାରତର ଶକ୍ତି ପ୍ରଦର୍ଶନ

ବେଜିଂ : ଭାରତ ଏବଂ ଚୀନ୍‌ ମଧ୍ୟରେ ସେନା ପଛକୁ ହଟାଇବା ପାଇଁ ସହମତି ହେବାର ଦିନକ ପରେ ଏବେ ପୁଣି ମାମଲା ଜଟିଳ ହେବାରେ ଲାଗିଛି। ଗଲୱାନ୍‌ରେ ଚୀନ୍‌ ସେନା ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ କରିବା ବଦଳରେ କେତେକ ସ୍ଥାନରେ ସେନା ମୁତୟନ ପୁଣି ବଢ଼ାଇଥିବା ଖବର ମିଳିଛି। ଚୀନ୍‌ ବିବାଦୀୟ ଅଂଚଳକୁ ପଛକୁ ହଟିବା ପରିବର୍ତ୍ତେୀ ଏବେ ଭିନ୍ନ ରଣନୀତି ଧରି ଉତ୍ତେଜନା ବଢ଼ାଉଥିବାରୁ ଭାରତ ମଧ୍ୟ ଆଭିମୁଖ୍ୟ କଠୋର କରିଛି । ଆଜି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତ ବିଭିନ୍ନ ଯୁଦ୍ଧ ବିମାନ ଉଡ଼ାଇଛି। ଏହା ସହିତ ଭାରତୀୟ ସେନା ଏଲ୍‌ଏସିରେ ମଧ୍ୟ ନିଜର ଶକ୍ତି ଦେଖାଇଛି।

ଚୀନ୍‌ ଗଲୱାନ ସମେତ ପେଙ୍ଗୋଙ୍ଗ୍‌ ହ୍ରଦ ଅଂଚଳରେ ମଧ୍ୟ ସେନା ମୁତୟନ ବଢ଼ାଇଥିବାରୁ ଭାରତ ମଧ୍ୟ ନିଜର ସ୍ଥିତି ଯଥେଷ୍ଟ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଗଲୱାନ ସଂଘର୍ଷ ପାଇଁ ଭାରତକୁ ସଂପୂର୍ଣ୍ଣ ଦାୟୀ କରିଛି। ମନ୍ତ୍ରାଳୟ ପ୍ରବକ୍ତା ଉ କିଆନ୍‌ କହିଛନ୍ତି ଯେ କେବଳ ଭାରତର ଏକତରଫା କାର୍ଯ୍ୟାନୁଷ୍ଠାନ ପାଇଁ ହିଂସା ହୋଇଛି। ଚୀନ୍‌ ପରିସ୍ଥିତିକୁ ଦେଖି ଯୁଦ୍ଧ ଅଭ୍ୟାସ ମଧ୍ୟ ଜାରି ରଖିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖ ଦିନ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ପ୍ରାୟ ୪୦ ଜଣ ମୃତାହତ ହୋଇଥିଲେ। ଏହି ହିଂସା ପରେ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଓ ସାମରିକ ଆଲୋଚନା ଜାରି ରହିଛି।

ସମ୍ବନ୍ଧିତ ଖବର