ମୁମ୍ବାଇ: ଭାରତୀୟ ସିନେମା ଜଗତ ବର୍ଷ ୨୦୨୦ରେ ପାଖାପାଖି ୧୨ହଜାର କୋଟି ଟଙ୍କାର କ୍ଷତି ସହିଛି। ୨୦୧୯ ମସିହାରେ ମୋଟ ୧୯,୧୦୦ କୋଟିର ରାଜସ୍ବ ଆଦାୟ ହୋଇଥିବା ବେଳେ ଗତବର୍ଷ ଏହା ୭,୨୦୦ କୋଟିକୁ ଖସି ଆସିଛି। ବର୍ଷକ ମଧ୍ୟରେ ରାଜସ୍ବ ପାଖାପାଖି ଦୁଇ-ତୃତୀୟାଂଶ କମିଯାଇଛି ବୋଲି ସୂଚନା ଦେଇଛନ୍ତି ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କପୁର୍। ସିଦ୍ଧାର୍ଥ କହିଛନ୍ତି, ଗତବର୍ଷ କରୋନା ପାଇଁ ସିନେମା ହଲ୍ ଓ ପ୍ରେକ୍ଷାଳୟଗୁଡ଼ିକ ପ୍ରଥମରୁ ବନ୍ଦ କରିଦିଆଯାଇଥିଲା। ତେବେ ପରିସ୍ଥିତିରେ ସୁଧାର ଆସିବାରୁ ହଲ୍ଗୁଡ଼ିକ ଖୋଲିଥିଲେ ହେଁ ଭୟରେ ଲୋକେ ଆସି ନଥିଲେ। ଏହା ଦେଖି ନିର୍ମାତାମାନେ ଓଟିଟି ପ୍ଲାଟ୍ଫର୍ମ ଜରିଆରେ ଚଳଚ୍ଚିତ୍ରଗୁଡ଼ିକୁ ପ୍ରସାରଣ କରିବାକୁ ବାଧ୍ୟ ହେଲେ। ସେହିପରି ସୁଟିଂ ଉପରେ କଟକଣା ଓ ହଲ୍ଗୁଡ଼ିକ ପୂରୁ ନଥିବାରୁ ପ୍ରଯୋଜକମାନେ ମଧ୍ୟ ଉଚ୍ଚ ବଜେଟ୍ ଚଳଚ୍ଚିତ୍ର ନିର୍ମାଣ ପାଇଁ ପଛଘୁଞ୍ଚା ଦେଇଥିଲେ। ଏହି ସବୁ କାରଣ ପାଇଁ ପୂରା ଭାରତୀୟ ସିନେମା ଶିଳ୍ପ ପାଇଁ ବର୍ଷ ୨୦୨୦ ପୂରା ଅମଙ୍ଗଳ ଥିଲା ବୋଲି ଧରାଯାଇପାରେ। କିନ୍ତୁ ଏବେ କରୋନାର ଦ୍ବିତୀୟ ଲହର ଆସି ପୁଣି ସିନେମା ଶିଳ୍ପ ଆଗରେ କଣ୍ଟା ହୋଇ ଛିଡ଼ା ହେଲାଣି। ତେଣୁ ଗତବର୍ଷ ଭଳି ପରିସ୍ଥିତି ଉପୁଜିଲେ, ସ୍ଥିତି ଅସମ୍ଭାଳ ହୋଇଯିବ। ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା ୭ଲକ୍ଷରୁ ଊର୍ଧ୍ବ ଲୋକ ରୋଜଗାର ହରାଇବେ ବୋଲି ସିଦ୍ଧାର୍ଥ ଆଶଙ୍କା ପ୍ରକାଶ କରିଛନ୍ତି।
ଅପରପକ୍ଷେ ଏଫ୍ଆଇସିସିଆଇ-ଇୱାଇର ରିପୋର୍ଟ କହୁଛି, ଗତବର୍ଷ କରୋନା ଯୋଗୁଁ ୧୦୦୦ରୁ ୧୫୦୦ ସିଙ୍ଗଲ୍ ସ୍କ୍ରିନ୍ ସିନେମା ହଲ୍ ବନ୍ଦ ହୋଇଯାଇଥିବା ବେଳେ ମଲ୍ଟିପ୍ଲେକ୍ସଗୁଡ଼ିକ ମଧ୍ୟ ପ୍ରବଳ କ୍ଷତି ସହିଛନ୍ତି। ଏବେ କରୋନାର ଦ୍ବିତୀୟ ଲହର ଭାରତୀୟ ଚଳଚ୍ଚିତ୍ର ଜଗତର ପୁଣି ଥରେ ଉଠିବା ସମ୍ଭାବନାକୁ ବି ମାରିବାକୁ ବସିଲାଣି। ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କଲେ ହିଁ ଚଳଚ୍ଚିତ୍ର ଜଗତ ପୁଣିଥରେ ମୁଣ୍ଡ ଟେକି ଉଠିପାରିବ। ବର୍ତ୍ତମାନର ମହାମାରୀ ସମୟରେ କିଛି ବି ଅନୁମାନ କରିବା ବ୍ୟର୍ଥ। କେବେ ପ୍ରତିଟି ଲୋକଙ୍କୁ ଟିକା ଦିଆଯିବ, କେବେ ଆମେ ଏ ମହାମାରୀ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ଓ କେବେ ପ୍ରେକ୍ଷାଳୟଗୁଡ଼ିକ ଖୋଲିବ, ସେନେଇ କାହା ପାଖେ କିଛି ଉତ୍ତର ନାହିଁ।