ନୂଆଦିଲ୍ଲୀ: ଦୀପାବଳି ଉତ୍ସବ ସମଗ୍ର ଭାରତୀୟ ଆକାଶକୁ ଆଲୋକିତ କରିଥିବା ବେଳେ ଏହାର ପ୍ରଭାବ ପଡ଼ୋଶୀ ଦେଶରେ ବି ଅନୁଭୂତ ହୋଇଛି। ବାଣଫୁଟାଜନିତ ଭାରତର ପ୍ରଦୂଷିତ ବାୟୁ ପଡ଼ୋଶୀ ଦେଶକୁ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତଥା ଏହାର ରାଜଧାନୀ ଲାହୋରରେ ବାୟୁ ଗୁଣବତ୍ତାରେ ତୀବ୍ର ହ୍ରାସ ଘଟାଇଛି। ଫଳରେ ମରିୟମ ନୱାଜଙ୍କ ନେତୃତ୍ୱାଧୀନ ପ୍ରାଦେଶିକ ସରକାର ଚିନ୍ତା ପ୍ରକଟ କରିବା ସହ ଜରୁରୀ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ପାକିସ୍ତାନର ଅଧିକାରୀମାନେ ଏହି ପ୍ରଦୂଷଣ ପାଇଁ ଭାରତରୁ ପ୍ରବାହିତ ପ୍ରଦୂଷିତ ବାୟୁକୁ ଦାୟୀ କରିଛନ୍ତି।
ପଞ୍ଜାବ ପରିବେଶ ସୁରକ୍ଷା ବିଭାଗ (ଇପିଡି) ଅନୁଯାୟୀ, ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ଉତ୍ତର ଭାରତୀୟ ସହରରୁ ପ୍ରଦୂଷକ ପରିବହନ କରୁଥିବା ପବନ ପାକିସ୍ତାନର ପଞ୍ଜାବରେ ବାୟୁ ଅବସ୍ଥା ଖରାପ ହେବାରେ ଯଥେଷ୍ଟ ସହାୟକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ଲାହୋରର ଏକ୍ୟୁଆଇ ୨୬୬ (ଖରାପ)ରେ ପହଞ୍ଚିଥିଲା, ଯାହା ନୂଆଦିଲ୍ଲୀ ପରେ ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର ଥିଲା। ନୂଆଦିଲ୍ଲୀର ଅଧିକାଂଶ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ରରେ ମଙ୍ଗଳବାର ଏକ୍ୟୁଆଇ ୩୦୦ରୁ ଅଧିକ ରହିଛି। ବିଷାକ୍ତ ବାୟୁକୁ ପ୍ରତିହତ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ଲାହୋରର ପ୍ରମୁଖ ରାସ୍ତାରେ ଧୂଆଁକୁହୁଡ଼ି-ବିରୋଧୀ ଗନ୍‌ ନିୟୋଜନ ଓ ଜଳ ଛିଞ୍ଚିବା ଅଭିଯାନ ସମେତ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିଥିଲେ। ଅପରେସନ୍ ପାଇଁ ଅତି କମ୍‌ରେ ନଅଟି ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ପ୍ରାଦେଶିକ ସରକାର ସ୍ମଗ୍ ରେସପନ୍ସ ସ୍କ୍ୱାର୍ଡ ମଧ୍ୟ ଗଠନ କରିଛନ୍ତି ଯାହା ପ୍ରତିଷ୍ଠାନ ଓ ବାୟୁକୁ ପ୍ରଦୂଷିତ କରୁଥିବା ଲୋକଙ୍କ ଉପରେ ଚଢ଼ାଉ କରୁଛି।

Advertisment

ଘଣ୍ଟାପ୍ରତି ୪ରୁ ୭ କିଲୋମିଟର ବେଗରେ ପବନ ବହିବା ସହିତ ବାୟୁବାହୀ କଣିକା ସୀମା ପାର ହୋଇ ପାକିସ୍ତାନର ଲାହୋର, ଫୈସଲାବାଦ, ଗୁଜରାନୱାଲା, ସାହିୱାଲ ଓ ମୁଲତାନ ଭଳି ସହରକୁ ପ୍ରଭାବିତ କରିଥିଲା। ମରିୟମ ନୱାଜଙ୍କ କ୍ୟାବିନେଟର ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏହି ପରିସ୍ଥିତିକୁ ସୀମାପାର ପରିବେଶ ଆହ୍ବାନ ବୋଲି ବର୍ଣ୍ଣନା କରିଛନ୍ତି। କର୍ତ୍ତୃପକ୍ଷ ଆସୁଥିବା ପ୍ରଦୂଷକ ଉପରେ ନଜର ରଖିଥିବାବେଳେ ସ୍ଥାନୀୟ ନିର୍ଗମନ ହ୍ରାସ କରିବାରେ ନାଗରିକମାନଙ୍କୁ ସେମାନଙ୍କର ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ ଲାହୋର ପୁଲିସ ଧୂଆଁ ବିରୋଧୀ କଟକଣାରେ ୮୩ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ କାରଖାନାରୁ ନିର୍ଗମନ ଏବଂ ଟାୟାର ଓ ବର୍ଜ୍ୟବସ୍ତୁ ଜାଳିବା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଅଛନ୍ତି।