ଖାଦ୍ୟ ଅର୍ଡର ଦେବା ବେଳେ ଜୋମାଟୋ ଡେଲିଭରି ବୟଙ୍କୁ ଗୁଳି କରି ହତ୍ୟା

ରେୱାରି: ଅନଲାଇନ୍‌ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋର ଜଣେ ଡେଲିଭରି ବୟଙ୍କୁ ଖାଦ୍ୟ ଅର୍ଡର ଡେଲିଭରି ଦେଉଥିବା ସମୟରେ ରେୱାରି ସେକ୍ଟର ୧୯ର ଅନସାଲ ଟାଉନସିପରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ମୋବାଇଲ୍‌ ଏବଂ ମନିପର୍ସ ମଧ୍ୟ ନିଖୋଜ ଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଘଟଣାକୁ ଦେଖିବା ପରେ ଲୁଟିବା ଉଦ୍ଦେଶ୍ୟରେ ତାଙ୍କୁ ଗୁଳି କରା ଯାଇଥିବା ପୁଲିସ ସନ୍ଦେହ କରୁଛି। ଏ ସଂକ୍ରାନ୍ତରେ ମଡେଲ ଟାଉନ ପୁଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜୀକୃତ ହେବା ସହ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ମୃତ ଡେଲିଭରି ବୟ ପାଲୱାଲର ହୁଡିଥାଲ ଗାଁର ବାସିନ୍ଦା ଏବଂ ତାଙ୍କର ନାଁ ମହେନ୍ଦ୍ର ସିଂ (୩୦) ବୋଲି ପୁଲିସ ଚିହ୍ନଟ କରିଛି। ସେ ରେୱାରିର ଦୁର୍ଗା କଲୋନୀରେ ରହୁଥିଲେ ଏବଂ ଜୋମାଟୋରେ ଡେଲିଭରି ବୟ ଭାବରେ କାର୍ଯ୍ୟ କରୁଥିଲେ।

ରବିବାର ରାତିରେ, ସେ ଖାଦ୍ୟ ଅର୍ଡର ସହିତ ଅନସାଲ ଟାଉନସିପ୍‌କୁ ଯାଇଥିଲେ। ସେହି ସମୟରେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲା ଏବଂ ସେ ଆହତ ହୋଇଥିଲେ। ଜଣେ ପଥଚାରୀ ମହେନ୍ଦ୍ରଙ୍କୁ ଆହତ ଅବସ୍ଥାରେ ପଡ଼ିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କ ପେଟରେ ଗୁଳି ବାଜିଥିଲା ଏବଂ ତାଙ୍କ ପର୍ସ ଏବଂ ମୋବାଇଲ୍‌ ମଧ୍ୟ ଘଟଣାସ୍ଥଳରୁ ନିଖୋଜ ଥିବା ଦେଖିବାକୁ ମିଳିଥିଲା।

ପରେ, ତାଙ୍କର ଗୁରୁତର ଅବସ୍ଥା ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ସେ ସୋମବାର ସକାଳେ ମୃତ୍ୟୁବରଣ କରିଥିଲେ। ରେୱାରିର ଡିଏସପି ମହମ୍ମଦ ଜମାଲ କହିଛନ୍ତି, ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଆମେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଛୁ।

ସମ୍ବନ୍ଧିତ ଖବର