ନୂଆଦିଲ୍ଲୀ: ପିଜ୍ଜା, ବର୍ଗର ଭଳି ପାଶ୍ଚାତ୍ୟ ଭୋଜନ ମାୟାରେ ପଡ଼ି ନିଜ ପାରମ୍ପରିକ ଭୋଜନକୁ ଅବହେଳା କରୁଥିବା ଲୋକମାନେ ଏହା ବୋଧହୁଏ ଜାଣିନାହାନ୍ତି ଯେ ଭାରତୀୟ ଭୋଜନ ହେଉଛି ବିଶ୍ବର ସବୁଠୁ ପରିବେଶ ଅନୁକୂଳ ଭୋଜନ। ପରିବେଶ ଉପରେ ତାହାର ପ୍ରଭାବ ସବୁଠୁ କମ୍। ବିଶ୍ବସ୍ତରୀୟ ସଂସ୍ଥା ଡବ୍ଲୁଡବ୍ଲୁଏଫ୍ ଏହାର ଲିଭିଂ ପ୍ଲାନେଟ୍ ରିପୋର୍ଟ ୨୦୨୪ରେ ଏହି ଦାବି କରିଛି।

Advertisment

ଡବ୍ଲୁଡବ୍ଲୁଏଫ୍‌ ଭାରତୀୟ ଭୋଜନ ଥାଳିକୁ ପରିବେଶ ପାଇଁ ସର୍ବୋକୃଷ୍ଣ ବୋଲି ମାନ୍ୟତା ଦେଇଥିବା ବେଳେ ଅନ୍ୟ ଦେଶଗୁଡ଼ିକୁ ତାହା ଅନୁସରଣ କରିବାକୁ ମଧ୍ୟ ଆହ୍ବାନ ଦେଇଛି। ‌ରିପୋର୍ଟରେ ଦାବି କରାଯାଇଛି ଯେ ଯଦି ଭାରତୀୟ ଭୋଜନ ଢାଞ୍ଚାକୁ ସାରା ବିଶ୍ବ ଗ୍ରହଣ କରିବ ତେବେ ୨୦୫୦ ସୁଦ୍ଧା ନିରନ୍ତର ଖାଦ୍ୟ ପାଇଁ ପୃଥିବୀର ମାତ୍ର ୦.୮୪ ଭାଗ ବ୍ୟବହାର ହେବ ଯାହା ବର୍ତ୍ତମାନର ବ୍ୟବସ୍ଥା ତୁଳନାରେ ଯଥେଷ୍ଟ କମ୍ ଓ ନଗଣ୍ୟ। ପରିବେଶ ଅନୁକୂଳ ଭୋଜନରେ ଭାରତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ରହିଛନ୍ତି ଇଣ୍ଡୋନେସିଆ, ଚୀନ୍, ଜାପାନ, ସାଉଦିଆରବ, ତୁର୍କୀ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ଜର୍ମାନୀ, ରୁଷିଆ, ବ୍ରିଟେନ୍, କାନାଡା, ଇଟାଲି, ଫ୍ରାନ୍ସ, ବ୍ରାଜିଲ, ଆମେରିକା, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା। 

ଡବ୍ଲୁଡବ୍ଲୁଏଫ୍‌ ଜଣାଇଛି ଯେ ଭାରତୀୟ ଭୋଜନରେ ବ୍ୟବହାର ହେଉଥିବା ଉପାଦାନଗୁଡ଼ିକ ମୁଖ୍ୟତଃ ଉଦ୍ଭିଦରୁ ଆସୁଛି। ସେଥିରେ ଖାଦ୍ୟଶସ୍ୟ, ଡାଲି ଓ ପନିପରିବା ବ୍ୟବହାର କରାଯାଉଛି। ପଶୁରୁ ଜାତ ଉତ୍ପାଦ ବିଶେଷ ବ୍ୟବହାର କରାଯାଉନାହିଁ। ଭାରତୀୟ ଭୋଜନରେ କମ୍ ପରିମାଣର ପ୍ରାକୃତିକ ସମ୍ବଳ ବ୍ୟବହାର ହେଉଛି ଏବଂ ସେଥିରୁ କମ୍ ଗ୍ରିନ୍ ହାଉସ୍‌ ଗ୍ୟାସ୍‌ ନିର୍ଗମନ ହେଉଛି। ନିରନ୍ତର ଖ୍ୟାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ଆରମ୍ଭ କରିଥିବା ଜାତୀୟ ମିଲେଟ୍ ମିସନକୁ ମଧ୍ୟ ରିପୋର୍ଟରେ ପ୍ରଶଂସା କରାଯାଇଛି। ଭାରତୀୟ ଭୋଜନ ସୁସ୍ଥକର ହୋଇଥିବା ବେଳେ ସେଥିପାଇଁ କମ୍ ଜମି ବ୍ୟବହାର ହେଉଛି, ପ୍ରକୃତିର ପୁନରୁଦ୍ଧାର ହେଉଛି ଏବଂ ପରିବେଶ ଉପରେ ପ୍ରଭାବ ମଧ୍ୟ କମ୍ ରହୁଛି। 

ଅନ୍ୟ ଦେଶଙ୍କୁ ଅନୁସରଣ କରିବାକୁ ଆହ୍ବାନ

ତେବେ, ବର୍ତ୍ତମାନ ବିଶ୍ବସ୍ତରରେ ପ୍ରଚଳନରେ ଥିବା ଖାଦ୍ୟ ବ୍ୟବସ୍ଥାକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ଏଥିରେ କୁହାଯାଇଛି ଯେ ଏହା ଦ୍ବାରା ଜୈବବିବିଧତା ପ୍ରଭାବିତ ହେଉଛି। ବସତି ପାଇଁ ଉପଯୋଗୀ ଜମି ମଧ୍ୟରୁ ୭୧ ପ୍ରତିଶତକୁ ପଶୁମାନଙ୍କ ଚାରଣଭୂମି ଭାବେ ବ୍ୟବହାର କରାଯାଉଛି ଯେଉଁଥିପାଇଁ ବିପୁଳ ଗ୍ରିନ୍ ହାଉସ୍‌ ଗ୍ୟାସ୍ ନିର୍ଗମନ ହେଉଛି। ଖାଦ୍ୟ ପାଇଁ ପଶୁ ସମ୍ପଦ ଉପରେ ଅତ୍ୟଧିକ ନିର୍ଭରଶୀଳତା ପାଇଁ ବିଶ୍ବର ୮୩ ପ୍ରତିଶତ କ୍ୟାଲୋରି ମାତ୍ର ୧୦ଟି ଫସଲରୁ ଗ୍ରହଣ କରିବାକୁ ପଡ଼ୁଛି। ଏବେ ଉତ୍ପାଦନ ହେଉଥିବା ୩୦-୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ରେକର୍ଡ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ମଧ୍ୟ ୭୩.୫ କୋଟି ଲୋକ ଭୋକିଲା ରହୁଥିବା ବେଳେ ମେଦବହୁଳତା ବଢ଼ିବାରେ ଲାଗିଛି।

ବର୍ତ୍ତମାନର ଖାଦ୍ୟ ବ୍ୟବସ୍ଥା ପାଇଁ ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସୃଷ୍ଟି ହେଉଥିବା ଚାପର ପରିମାଣ ବାର୍ଷିକ ୧୦-୧୫ ଲକ୍ଷ କୋଟି ଡଲାର ଆକଳନ କରାଯାଇଛି। କୃଷି କାର୍ଯ୍ୟରେ ବିଶ୍ବର ୭୦ ପ୍ରତିଶତ ମଧୁର ଜଳ ବ୍ୟବହାର ହେଉଥିବାରୁ ଭୂତଳ ଜଳ ସ୍ତର ଓ ନଦୀରେ ପାଣିର ସ୍ରୋତ କମ୍ ହୋଇଯାଉଛି। ଖାଦ୍ୟ ପାଇଁ ସାମୁଦ୍ରିକ ଜୀବ ଉପରେ ନିର୍ଭରଶୀଳତା ବଢ଼ିବାରେ ଲାଗିଥିବାରୁ ତାହା ସାମୁଦ୍ରୀକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ କିଛି ଆଞ୍ଚଳିକ ମାଛ ସମ୍ପୂର୍ଣ୍ଣ ରୂପେ ଉଭାନ ହୋଇଗଲାଣି। କେବଳ ଚାଷ କାର୍ଯ୍ୟ ପାଇଁ ୮୦ ପ୍ରତିଶତ ବିରଳ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀ ପ୍ରତି ବିପଦ ଦେଖାଦେଇଛି। ଏହି ସବୁ ବିପଦ ରହିଥିବାରୁ ବିଶ୍ବ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ରିପୋର୍ଟରେ ଆହ୍ବାନ ଦିଆଯାଇଛି।