ନୂଆଦିଲ୍ଲୀ : ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଐ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଶ ଶିବିରକୁ ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ କରି ଧ୍ୱଂସ କରିଛି। ସେନାର ଏହି ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ।

Advertisment

ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବିଷୟରେ ଭାବେ ଅବଗତ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରର ବାଲାକୋଟର ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛି ଭାରତ। ଏହି ପ୍ରଶିକ୍ଷଣ ଶିବିରରେ ଜେହାଦୀମାନଙ୍କୁ ଆତ୍ମଘାତୀ ଆକ୍ରମଣ ଲାଗି ପ୍ରଶିକ୍ଷଣ ଦିଆଯାଉଥିଲା। ଏହି ଶିବିର ମୌଲାବୀ ୟୁସୁଫ ଅଝାର ନେତୃତ୍ୱରେ ପରିଚାଳିତ ହେଉଥିଲା। ୟୁସୁଫ୍‌ ହେଉଛି ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ୍‌ ଅଝାରର ସଂପର୍କୀୟ। ସୁରକ୍ଷା ଦୃଷ୍ଟିରୁ ଭାରତରେ ବହୁବାର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜୈସ୍‌ର ଶିବିର ଧ୍ୱସଂ କରିବାର ଆବଶ୍ୟକତା ଥିଲାବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହି ଆକ୍ରମଣରେ ଜ୍ରେସ୍‌-ଏ-ମହମ୍ମଦର ବହୁ ସଂଖ୍ୟକ ଜେହାଦୀ, ପ୍ରଶିକ୍ଷକ,କମାଣ୍ଡର ଓ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଜୈସ୍‌-ଏ-ମହମ୍ମଦର ଏଭଳି ପ୍ରଶିକ୍ଷଣ ଶିବିର ସଂପର୍କରେ ପାକିସ୍ତାନକୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ଯଦିଓ ପାକିସ୍ତାନ୍‌ ବହୁ ପୂର୍ବରୁ ଭାରତକୁ ପ୍ରତିଶ୍ରୁତି ଦେଇଥିଲା କି ଆତଙ୍କବାଦୀ କାର୍ଯ୍ୟକଳାପକୁ ତା’ମାଟିରେ ପ୍ରଶୟ ଦେବ ନାହିଁ। କିନ୍ତୁ ଜୈସ ତା’ର କାର୍ଯ୍ୟକଳାପ ଜାରି ରଖିଥିଲା। ପୁଲଓ୍ଵାମା ଆକ୍ରମଣ ପରେ ଭାରତ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

ବୈଦେଶିକ ସଚିବ ବିଜୟ ଗୋଖଲେ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି କି ଗୁଇନ୍ଦା ସୂଚନା ଅନୁସାରେ ଭାରତ ପକ୍ଷରୁ କେବଳ ଆତଙ୍କବାଦୀଙ୍କ ଠିକଣା ଉପରେ ଅପରେସନ୍‌ କରାଯାଇଛି। ପାକିସ୍ତାନର ବେସାମରିକ ଅଞ୍ଚଳରେ ଯେପରି କୌଣସି କ୍ଷୟକ୍ଷତି ନ ହେବ ସେ ଦିଗ ପ୍ରତି ମଧ୍ୟ ଯଥେଷ୍ଟ ଦୃଷ୍ଟି ଦିଆଯାଇଛି। ପାକିସ୍ତାନର ସାଧାରଣ ନାଗରିକଙ୍କ ଧନଜୀବନ ପ୍ରତି କୌଣସି କ୍ଷତି ହୋଇନାହିଁ । ଏହି ପ୍ରଶିକ୍ଷଣ ଶିବିର ଘନ ଜଙ୍ଗଲ ମଧ୍ୟରେ ଥିବା ଏକ ପାହାଡ ଉପରେ ଥିଲା। ପାକ ମାଟିରେ ୨୦ ବର୍ଷ ଧରି ଜୈସ୍‌ ସକ୍ରିୟ ଥିଲେ ମଧ୍ୟ ପାକିସ୍ତାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଶହ ଶହ ସଂଖ୍ୟାରେ ଆତଙ୍କବାଦୀ ସେଠାରେ ପ୍ରଶିକ୍ଷଣ ଦେଇ ଭାରତରେ ଆତଙ୍କ ସୃଷ୍ଟି କରୁଥିଲେ ହେଁ ପାକିସ୍ତାନ ସବୁ ଜାଣି ନିରବ ରହିଛି।

ଅନ୍ୟ ପକ୍ଷରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ପାକ୍‌-ଅଧିକୃତ କଶ୍ମୀରରେ ବାୟୁସେନା ପକ୍ଷରୁ କରାଯାଇଥିବା ଅପରେସନ୍‌ ଶତପ୍ରତିଶତ ସଫଳ ହୋଇଛି। ଏହି ଅପରେସନ୍‌ରେ ସମସ୍ତ ଏଜେନ୍ସିଙ୍କୁ ବ୍ୟବହାର କରାଯାଇଛି। ଆତଙ୍କବାଦୀଙ୍କୁ ନିପାତ ଲାଗି ଆରମ୍ଭ ହୋଇଥିବା ପ୍ରକ୍ରିୟାର ଏହା ଆରମ୍ଭ ମାତ୍ର।

ଏଥିସହ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ହାଇ-ଆଲର୍ଟରେ ରଖାଯିବା ସହ ଜମ୍ମୁ-କଶ୍ମୀର ସମେତ ପଞ୍ଜାବ ଓ ଗୁରୁରାଟରେ ମଧ୍ୟ ହାଇ-ଆଲର୍ଟ କରାଯାଇଛି।

ତେଣେ କେନ୍ଦ୍ର କ୍ୟାବିନେଟର ସୁରକ୍ଷା ସଂପର୍କିତ କମିଟିର ଜରୁରୀକାଳୀନ ବୈଠକ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସଂଧ୍ୟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି।