ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଭାରତ ସରକାର ୪୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରି ୫୦ଟି ବୁଲେଟ୍ପ୍ରୁଫ୍ ଅଡି କାର୍ କିଣିଥିବା କଥା ‘ଡିଏନ୍ଏ’ ରିପୋର୍ଟ କରିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ସମୟ ଭାରତ ସରକାର ସ୍ଥିର କରିଛନ୍ତି। ଏଥିରେ ଯୋଗ ଦେବା ପାଇଁ ୨୫ରୁ ଅଧିକ ଦେଶର ନେତାମାନେ ସେମାନଙ୍କ ପ୍ରତିନିଧି ଦଳଙ୍କୁ ଧରି ଭାରତ ଆସିବେ।
ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଅତିଥିମାନଙ୍କ ନିମନ୍ତେ ଭାରତ ସରକାର ବିଶେଷ ବ୍ୟବସ୍ଥା କରିସାରିଛନ୍ତି। ଏହି ଶିଖର ସମ୍ମିଳନୀ ସମୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେବା ଲାଗି ସରକାର ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି।
‘ହିନ୍ଦୁସ୍ତାନ୍ ଟାଇମ୍ସ୍’ ରିପୋର୍ଟ କରିଛି, ଦିଲ୍ଲୀର ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜର୍ମାନିରୁ ୫୦ଟି ‘ଲେଫ୍ଟ୍ ହ୍ୟାଣ୍ଡ୍ ଡ୍ରାଇଭ୍ ବୁଲେଟ୍ପ୍ରୁଫ୍ ଅଡି କାର୍’ କିଣିଛି। କିନ୍ତୁ, ସେ କାର୍ଗୁଡ଼ିକ କେଉଁ ମଡେଲ୍ର ତାହା ଜଣାପଡ଼ି ନ ଥିଲେ ବି ‘ଅଡି ଏ୮ ସିକ୍ୟୁରିଟି’ ହୋଇଥିବ ବୋଲି ଆଶା କରାଯାଉଛି। ସରକାର ଜର୍ମାନିରୁ ରିହାତି ଦର୍ରେ କିଣିଥିଲେ ବି ଏହାର ମୂଲ୍ୟ ୪୦୦ କୋଟି ଟଙ୍କାରୁ କମ୍ ହୋଇ ନ ଥିବ।
ଭାରତରେ ‘ଲେଫ୍ଟ୍ ହ୍ୟାଣ୍ଡ୍ ଡ୍ରାଇଭ୍’ ଯାନବାହନ ବେଆଇନ ହୋଇଥିବାରୁ ଏହି ‘ଲେଫ୍ଟ୍ ହ୍ୟାଣ୍ଡ୍ ଡ୍ରାଇଭ୍ ବୁଲେଟ୍ପ୍ରୁଫ୍ ଅଡି କାର୍’ ସବୁ ରାସ୍ତାରେ ଚାଲିଲେ ଦିଲ୍ଲୀ ପୁଲିସ ଅସୁବିଧାର ସମ୍ମୁଖୀନ ହେବ। ବିଶେଷ କାର୍ଯ୍ୟକ୍ରମ ପାଇଁ ଏହା ଅଣାଯାଇଥିବାରୁ ପୁଲିସ ଏହାର ଆଇନସମ୍ମତତା ପ୍ରତି ନିରବ ରହିବ। କିନ୍ତୁ, ସେ କାର୍ ସବୁ ରାସ୍ତାରେ ଚାଲିବା ବେଳେ ‘ରାଇଟ୍ ହ୍ୟାଣ୍ଡ୍ ଡ୍ରାଇଭ୍’ କାର୍ ସବୁ କେମିତି ଚାଲିବ ସେକଥା ନେଇ ପୁଲିସ ଚିନ୍ତିତ ଅଛି।
ସୂଚନାଯୋଗ୍ୟ, ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ୍ରେ ‘ରାଇଟ୍ ହ୍ୟାଣ୍ଡ୍ ଡ୍ରାଇଭ୍’ କାର୍ ଚଳାଚଳ କରେ।