ଦୁବାଇ: ୨୦୧୯ରେ ଦୁବାଇରେ ଘଟିଥିବା ବସ୍‌ ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇଥିବା ଜଣେ ଭାରତୀୟଙ୍କୁ ୧୧ କ‌ୋଟି ଟଙ୍କା ( ଆରବ ମୁଦ୍ରାରେ୫ ନିୟୁତ ଦିର୍‌ହାମ୍‌) କ୍ଷତିପୂରଣ ମିଳିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

Advertisment

ସ୍ମରଣଯୋଗ୍ୟ, ଉକ୍ତ ବସ୍‌ ଦୁର୍ଘଟଣାରେ ୧୨ଜଣ ଭାରତୀୟଙ୍କ ସମେତ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ଦିନ ‘ଦି ଖଲିଜ୍‌ ଟାଇମସ୍‌’ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଓମାନ୍‌ରୁ ସଂଯୁକ୍ତ ଆରବ ଏମିରେଟସ୍‌କୁ ଯାଉଥିବା ଉକ୍ତ ବସ୍‌ ଦୁବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଯାତ୍ରା କରୁଥିବା ୩୧ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ୧୨ଜଣ ଭାରତୀୟ ଏବଂ ଆହତ ହୋଇଥିବା ଭାରତୀୟ ଜଣକ ହେଉଛନ୍ତି ୨୦ ବର୍ଷିୟ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ମହମ୍ମଦ୍‌ ବୈଗ୍‌ ମିର୍ଜା।

ମେଟ୍ରୋ ଷ୍ଟେସନ୍‌ ପାର୍କିଙ୍ଗ୍‌ ଅଞ୍ଚଳ ପ୍ରବେଶ ପଥ ଉପରେ ଥିବା ‘ହାଇଟ୍‌ ବାରିୟର୍‌’ରେ ଡ୍ରାଇଭର୍‌ ସେ ଯାତ୍ରୀବାହୀ ବସ୍‌କୁ ପିଟି ଦେବାରୁ ବସ୍‌ର ବାମପାର୍ଶ୍ବ ଊର୍ଦ୍ଧ୍ବାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏଥିପାଇଁ ଓମାନ୍‌ବାସୀ ଉକ୍ତ ବସ୍‌ ଡ୍ରାଇଭର୍‌ଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ସହିତ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୩.୪ ନିୟୁତ ଦିର୍‌ହାମ୍‌ ଦେବାକୁ ଆଦେଶ ଦିଆଯାଇଥିଲା।

publive-image Image Courtesy of Khaleej Times

ମିର୍ଜାଙ୍କ ଓକିଲମାନେ କହିଛନ୍ତି, ପ୍ରାଥମିକ ଆପୋସ ସମାଧାନ ଅଦାଲତ ‘ଦି ୟୁଏଇ ଇନ୍‌ସ୍ୟୁରାନ୍‌ସ୍‌ ଅଥରିଟି’ କ୍ଷତିପୂରଣସ୍ବରୂପ ପ୍ରଥମେ ତାଙ୍କୁ ୧ ନିୟୁତ ଦିର୍‌ହାମ୍‌ ପ୍ରଦାନ କରିଥିଲେ। ଏହାପରେ, ମିର୍ଜା ‘ଦୁବାଇ କୋର୍ଟ ଅଫ୍‌ ଫାଷ୍ଟ୍‌ ଇନ୍‌ଷ୍ଟାନ୍‌ସ୍‌’ରେ ଆବେଦନ କରିବାରୁ ନିମ୍ନ ଅଦାଲତର ରାୟ ସଂଶୋଧନ କରାଯାଇ କ୍ଷତିପୂରଣ ଅର୍ଥରାଶି ୫ ନିୟୁତ ଦିର୍‌ହାନ୍‌କୁ ବୃଦ୍ଧି କରାଯାଇଥିଲା।

ସୂଚନାଯୋଗ୍ୟ, ଆତ୍ମୀୟମାନଙ୍କ ସହିତ ମସ୍‌କ୍ୟାଟ୍‌ ବୁଲି ଫେରୁଥିବା ବେଳେ ମିର୍ଜା ବସ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦୁବାଇର ଗୋଟାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଅଚେତ ଅବସ୍ଥାରେ ୧୪ ଦିନ ଧରି ଡାକ୍ତରଖାନାରେ ପଡ଼ି ରହିଥିଲେ। ତା’ପରେ ‘ରିହାବିଲିଏସନ୍‌ ସେଣ୍ଟର୍‌’ରେ ମାସ ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା।

ସେ ବର୍ଷ ମିର୍ଜା ‘ଡିପ୍ଲୋମା ଇନ୍‌ ମେକାନିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ର ଫାଇନାଲ୍ ସେମି‌ଷ୍ଟର୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ, କିନ୍ତୁ ଦୁର୍ଘଟଣା ଯୋଗୁଁ ପଢ଼ା ଶେଷ କରିପାରିଲେ ନାହିଁ। କାରଣ, ମିର୍ଜାଙ୍କର ମସ୍ତିଷ୍କର ୫୦% ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।