ସିଙ୍ଗାପୁରରେ ବେପରୁଆ ଗାଡ଼ି ଚଳାଇ ଜଣକୁ ମାରିଥିବା ମାମଲାରେ ୧୦ ମାସ ଜେଲ୍‌ଦଣ୍ଡ ପାଇଲେ ଭାରତୀୟ

ସିଙ୍ଗାପୁରୁ: ବେପରୁଆ ଭାବେ ‘ଲରି’ ଚଳାଇ ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁର କାରଣ ହୋଇଥିବା ଜଣେ ୪୦ ବର୍ଷିୟ ଭାରତୀୟଙ୍କୁ ସିଙ୍ଗାପୁରରେ ୧୦ ମାସ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଥିବା କଥା ଗୁରୁବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

ସିଙ୍ଗାପୁରରେ ଭାରତୀୟ ନାଗରିକ ଶିବଲିଙ୍ଗମ୍‌ ସୁରେଶ ଚଳିତ ବର୍ଷ ଫେବ୍ରୁଆରି ମାସରେ ବେପରୁଆ ଭାବେ ‘ଲରି’ ଚଳାଉଥିବା ବ‌େଳେ ରାସ୍ତାରେ ‘ଜେବ୍ରା କ୍ରସ୍’ ଅତିକ୍ରମ କରୁଥିବା ଜଣେ ୭୯ ବର୍ଷୀୟ ଚୀନା ମହିଳାଙ୍କୁ ଧକ୍କା ଦେଇଥିଲେ ବୋଲି ସମ୍ବାଦପତ୍ର ‘ଦି ଷ୍ଟ୍ରେଟସ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ସେ ସାବଧାନ ନ ହୋଇ ଚଳାଇବାରୁ ଗାଡ଼ି ମହିଳାଙ୍କୁ ଧକ୍କା ଦେଲା। ଫଳରେ ସେ ମହିଳାଙ୍କ ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଲା ଓ ସେହିଦିନ ହିଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଅଦାଲତଙ୍କୁ ସୂଚନା ଦିଆଯାଇଥିଲା।

Image Courtesy of India Today

ଆଗରୁ ସୁରେଶଙ୍କର ବେପରୁଆ ଗାଡ଼ି ଚାଳନା ରେକର୍ଡ ଥିବାରୁ ସଜ୍ଜା ସମୟ ଶେଷ ହେବା ପରେ ବି ଅନ୍ୟୂନ ୮ ବର୍ଷ ପାଇଁ ତାଙ୍କୁ କୌଣସି ଗାଡ଼ି ଚଳାଇବାକୁ ଲାଇସେନ୍‌ସ୍‌ ମିଳିବ ନାହିଁ।

ଡେପୁଟି ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ବେନିଡିକ୍ଟ୍‌ ସିଓଙ୍ଗ୍‌ କହିଛନ୍ତି, ଏନ୍‌ଗି ଆନ୍‌ ପ୍ରାଇମେରି ସ୍କୁଲ୍‌ ପାଖରେ ଥିବା ‌‘ଜେବ୍ରା କ୍ରସିଙ୍ଗ୍’ ପାଖରେ ପହଞ୍ଚିବା ବେଳେ ସୁରେଶ ଉକ୍ତ ମହିଳାଙ୍କୁ ଦେଖି ନ ପାରି ଗାଡ଼ି ଧକ୍କା କରିଦେଲେ। ସେହିପରି, ‘ଲରି’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧକ୍କା ହେଲା ବୋଲି ଦର୍ଶାଇବାକୁ କୌଣସି ପ୍ରମାଣ ବି ନ ଥିଲା। ତେଣୁ, ସୁରେଶଙ୍କୁ ୧୦ରୁ ୧୧ ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ୮ ବର୍ଷ ପର୍ଯ୍ୟନ୍ତ ତାଙ୍କ ଗାଡ଼ି ଚାଳନା ଉପରେ ନିଷେଧାଦେଶ ଜାରି କରିବାକୁ ଅଦାଲତଙ୍କୁ କହିଲି।

ସମ୍ବନ୍ଧିତ ଖବର