ୱାସିଂଟନ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଜି ଭାରତର ଲବି ଏଜେଣ୍ଟ୍ ଜେସନ୍ ମିଲର୍ ଭେଟିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ମିଲର୍ ମୋଦୀ ସରକାରଙ୍କ ପାଇଁ ଲବି କରୁଥିବା ଜଣେ ସ୍ବୀକୃତିପ୍ରାପ୍ତ ବିଦେଶୀ ଏଜେଣ୍ଟ। ସେ ଏକ୍ସରେ ଟ୍ରମ୍ପଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ଵାସିଂଟନରେ ଏକ ଚମତ୍କାର ଦିନ, ରାଷ୍ଟ୍ରପତିଙ୍କୁ କାର୍ଯ୍ୟରତ ଅବସ୍ଥାରେ ଦେଖିବାର ସୁଯୋଗ ମିଳିଲା।’ ଭାରତ ସରକାର ୨୦୨୪ ଏପ୍ରିଲରେ ମିଲର୍ଙ୍କ ଲବି ଫାର୍ମ ‘ଏସ୍ଏଚ୍ଡବ୍ଲ୍ୟୁ ପାର୍ଟନର୍ସ ଏଲ୍ଏଲ୍ସିକୁ’ ନିଯୁକ୍ତ କରିଥିଲେ। ଏହି ଏକ ବର୍ଷିଆ ଚୁକ୍ତିର ମୂଲ୍ୟ ୧.୮ ନିୟୁତ ଡଲାର (ପ୍ରାୟ ୧୫ କୋଟି ଟଙ୍କା) ରହିଛି ଯେଉଁଥିରେ ମାସିକ ୧.୫ ଲକ୍ଷ ଡଲାର (ପ୍ରାୟ ୧.୨୫ କୋଟି ଟଙ୍କା) ଫି ଦିଆଯାଉଛି। ଫାର୍ମକୁ ଆମେରିକୀୟ ସରକାର, କଂଗ୍ରେସ, ଥିଙ୍କ ଟ୍ୟାଙ୍କ ଓ ଅନ୍ୟ ସଂସ୍ଥାଙ୍କ ସହ ଭାରତୀୟ ପ୍ରସଙ୍ଗ ଉପରେ ରଣନୀତିକ ପରାମର୍ଶ ଓ ସମ୍ପର୍କ ବୃଦ୍ଧିର ଦାୟିତ୍ୱ ଦିଆଯାଇଛି।
ମିଲର୍ ଟ୍ରମ୍ପଙ୍କ ପୁରୁଣା ସହଯୋଗୀ ଏବଂ ୨୦୧୬ ନିର୍ବାଚନରେ ମୁଖ୍ୟ ମିଡିଆ ମୁଖପାତ୍ର ଥିଲେ। ସେ ହ୍ବାଇଟ୍ ହାଉସ୍ର ଯୋଗାଯୋଗ ନିର୍ଦ୍ଦେଶକ ଭାବେ ମଧ୍ୟ ମନୋନୀତ ହୋଇଥିଲେ, କିନ୍ତୁ ବ୍ୟକ୍ତିଗତ ବିବାଦ ଓ ଯୌନ ନିର୍ଯାତନ ଅଭିଯୋଗ ଯୋଗୁଁ ପଦରୁ ହଟିବାକୁ ବାଧ୍ୟ ହୋଇଥିଲେ।