ବିମାନରେ ଶୋଇଥିବା ମହିଳାଙ୍କ ପ୍ରତି ଅସଦାଚରଣ କରି ଆମେରିକାରେ ୯ ବର୍ଷ ଜେଲ୍‌ଦଣ୍ଡ ପାଇଲେ ଭାରତୀୟ ବ୍ୟକ୍ତି

ଓ୍ଵାସିଂଟନ୍‌: ରାତିରେ ଡେଟ୍ରୋଇଟ୍‌ ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ଶୋଇଥିବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ଓ୍ଵାର୍କ ଭିସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହି କାମ କରୁଥିବା ଜଣେ ଭାରତୀୟଙ୍କୁ ଗୁରୁବାର ଦିନ ୯ ବର୍ଷ ଲାଗି ଜେଲ୍‌ଦଣ୍ଡ ମିଳିଛି।

ଜାନୁଆରି ମାସରେ ଲା ଭେଗାରୁ ଯାଉଥିବା ବିମାନରେ ପ୍ରଭୁ ରାମମୂର୍ତ୍ତି ନିଜ ପତ୍ନୀ ଓ ପୀଡ଼ିତାଙ୍କ ମଝିରେ ଥିବା ସିଟ୍‌ରେ ବସିଥିଲେ। ୨୩ ବର୍ଷୀୟ ପୀଡ଼ିତାଙ୍କ ଅଭିଯୋଗ ଥିଲା ଭାରତୀୟଜଣକ ତାଙ୍କ ଶରୀରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରୁ ଜିପର୍‌ ଏବଂ ବୋତାମ ଖୋଲି ହସ୍ତ ସଂଚାଳନ କରି ଯୌନ ଉତ୍ପୀଡ଼ନ ଦେଇଥିଲେ।

ତାଙ୍କୁ ୧୧ ବର୍ଷ ଜେଲ୍‌ଦଣ୍ଡ ଦେବାକୁ ପ୍ରେଜେକ୍ୟୁଟର୍‌ମାନେ କହିଥିଲେ, କିନ୍ତୁ ୟୁଏସ୍‌ ଡିଷ୍ଟ୍ରିକ୍ଟ୍‌ ଜଜ୍‌ ଟେରେନ୍ସ୍‌ ବର୍ଗ ଦଣ୍ଡ ସମୟସୀମା ୯ ବର୍ଷରେ ସୀମିତ ରଖିଥିଲେ।

ଅଗଷ୍ଟ ମାସରେ ଜଣେ ଜୁରି ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ଭୋଗ କରି ସାରିବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ।
ମଡେଲ୍‌ ବୃତ୍ତି କରୁଥିବା ପୀଡ଼ିତା ସୁଯୋଗ ପାଇଥିଲେ ବି ଅଦାଲତରେ କୌଣସି କଥା କହିବାକୁ ମନା କରିଥିଲେ। ପ୍ରଥମ ଧାଡ଼ିରେ ନିଜ ପ୍ରେମିକ ଓ ପୋଷା କୁକୁର ସହ ବସି ରାୟ ଶୁଣିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି ମ୍ୟାଥ୍ୟୁ ସ୍କିନ୍‌ଡର୍‌ କହିଲେ: ବିମାନଯାତ୍ରା ସମୟରେ ନିଶ୍ଚିତ ଏବଂ ନିରାପଦ ରହିବାକୁ ସମସ୍ତଙ୍କର ଅଧିକାର ଅଛି… ଏହି ମାମଲାରେ ସବୁ କଥା କହିବାର ସାହସ ଜୁଟାଇ ପାରିଥିବାରୁ ଆମେ ପୀଡ଼ିତାଙ୍କୁ ପ୍ରଶଂସା କରୁଛୁ।

୩୫ ବର୍ଷିୟ ରାମମୂର୍ତ୍ତି ୨୦୧୫ରୁ ଓ୍ଵାର୍କ ଭିସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିଲେ।

ସମ୍ବନ୍ଧିତ ଖବର