ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଚଳାଇଥିବା ଆକ୍ରମଣ ବନ୍ଦ କରିବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ପ୍ରବର୍ତ୍ତାଇବା ପାଇଁ ଗତ ଶନିବାର ଦିନ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି।
ଏପଟେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ନ ନିଆଯିବା ପର୍ଯ୍ୟନ୍ତ କିବ୍ ଛାଡ଼ି ଯିବେ ନାହିଁ ବୋଲି ୟୁକ୍ରେନରେ ଥିବା ଡାକ୍ତର ତଥା ଶିକ୍ଷାର୍ଥୀ ପରାମର୍ଶଦାତା ଡାକ୍ତର ପୃଥ୍ବୀରାଜ ଘୋଷ କହିଛନ୍ତି। ଏଥିସହିତ ଆଉ ଏକ ଖବର ସାମ୍ନାକୁ ଆସିଛି। ୟୁକ୍ରେନରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଅପରେସନ୍ ଗଙ୍ଗା ମାଧ୍ୟମରେ ଜୋରଦାର ପ୍ରୟାସ କରୁଛନ୍ତି ।
ରୁଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି। ବିସ୍ଫୋରଣ ଶବ୍ଦ ଥମିବାର ନାମ ନେଉନାହିଁ। ଏଭଳି ଭୟାବହ ପରିସ୍ଥିତିରେ ଲୋକେ ସେ ସ୍ଥାନ ଛାଡ଼ି ଚାଲି ଆସିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ୟୁକ୍ରେନ୍କୁ ଯାଇ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରୁଥିବା ଖବର ଆସିଛି।
ଉକ୍ତ ଯୁବକଙ୍କ ନାମ ରୌନାକ୍ ରାଭାଲ୍ । ରୌନାକ୍ ଡେନ୍ମାର୍କରେ ରୁହନ୍ତି । ଯୁଦ୍ଧ ଭଳି ଭୟାବହ ପରିସ୍ଥିତିରେ, କେତେ ବେଳେ କ’ଣ ଘଟିବ ତାହା କେହି ଜାଣି ନଥିବା ବେଳେ ରୌନାକ ଦେବଦୂତ ସାଜି ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ମହିଳାଙ୍କ ସମେତ ଛାତ୍ରଛାତ୍ରୀ ଏବଂ ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସହାୟତା କରୁଛନ୍ତି । ନିକଟରେ ସେ ସୁରକ୍ଷିତ ଭାବେ ଜଣେ ମାଆ ଏବଂ ତାଙ୍କର ଦୁଇମାସର ଶିଶୁକୁ ଉଦ୍ଧାର କରିଥିଲେ ।
ରୌନାକ୍ ସମୟରେ ଫସି ରହିଥିବା ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଭାରତକୁ ଫେରିବାରେ ସହାଯ୍ୟ ମଧ୍ୟ କରିଛନ୍ତି।