ୱାଶିଂଟନ: ଆମେରିକାରେ ଭାରତୀୟ ରପ୍ତାନୀକାରୀଙ୍କୁ ଝଟକା । ଭାରତରୁ ଲସଏଞ୍ଜେଲ୍ସ, ସାନ ଫ୍ରାନସିସ୍କୋ ଓ ଆଟ୍‌ ଲାଣ୍ଟା ବିମାନବନ୍ଦରରେ ଭାରତର ୧୫ କଣ୍ଟେନର ଆମ୍ୱକୁ ଫେରାଇଦେଇଛି ଆମେରିକା । କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ଭାରତୀୟ ଆମ୍ୱକୁ ପ୍ରତ୍ୟାଖାନ କରିଛନ୍ତି । ଏଥିପାଇଁ ଭାରତୀୟ ବ୍ୟବସାୟୀଙ୍କୁ ୫ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୪ କୋଟି ୨୮ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ବର୍ତ୍ତମାନ ଏହି ଆମ୍ୱ ଭାରତକୁ ଫେରାଇ ଆଣିବା କିମ୍ୱା ସେହିଠାରେ ନଷ୍ଟ କରିବାର ବିକଳ୍ପ ବାକି ରହିଛି । ତେବେ ଏହି ଆମ୍ୱ ଭାରତକୁ ଫେରାଇ ଆଣିବା ବ୍ୟୟସାପେକ୍ଷ ହୋଇଥିବାରୁ ଏହାକୁ ସେହିଠାରେ ନଷ୍ଟ କରିବାକୁ ନିଷ୍ପତ୍ତି ନିଆ ଯାଇଛି।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତରୁ ଏୟାର କାର୍ଗୋ ଜରିଆରେ ୧୫ ସିପ୍‌ମେଣ୍ଟ୍‌ରେ ଆମ୍ୱ ପଠାଯାଇଥିଲା । ମୁମ୍ୱାଇରୁ ରପ୍ତାନୀ ପୂର୍ବରୁ ମେ’ ୮ ଓ ୯ ତାରିଖରେ ନଭି ମୁମ୍ୱାଇରେ ଥିବା ୟୁନାଇଟେଡ୍ ଷ୍ଟେଟ୍ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍ଚର୍ ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ୱଗୁଡ଼ିକୁ ରେଡିଏସନ୍ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାରେ ଯାଞ୍ଚ କରାଯାଇଥିଲା । ପିପିକ୍ୟୁ ୨୦୩ ଫର୍ମର ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ୱକୁ କୀଟାଣୁ ନାଶକ କରି ଏହାକୁ ଅଧିକ ସମୟ ସତେଜ ରଖିବା ପାଇଁ ବିକିରଣ ନିୟନ୍ତ୍ରଣ ଡୋଜ୍ ଦିଆଯାଏ । ଆମେରିକାକୁ କୌଣସି ଫଳ ରପ୍ତାନି କରିବା ପାଇଁ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ କରାଯାଇଛି । ଏହା କରିବା ସତ୍ତ୍ୱେ ଆମେରିକା ଅଧିକାରୀମାନେ ଏଥିରେ ତ୍ରୁଟି ଥିବା ଦର୍ଶାଇ ଆମ୍ୱକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । 

ଭାରତୀୟ ଆମ୍ୱର ପ୍ରମୁଖ ଆମଦାନୀକାରୀ ହେଉଛି ଆମେରିକା । ତେବେ ଆମେରିକା ଆମ୍ୱ ନେବାକୁ ମନା କରିବା ପରେ ଏବେ ଭାରତୀୟ ରପ୍ତାନିକାରୀଙ୍କ ଉପରେ ଏହା ନକାରତ୍ମକ ପ୍ରଭାବ ପକାଇବ । ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି ।

ବିଶ୍ୱ ବଜାରରେ ଭାରତୀୟ ଆମ୍ୱର ଚାହିଦା ରହିଥିବା ବେଳେ ଆମେରିକାର ଏଭଳି ପ୍ରତ୍ୟାଖାନ ବ୍ୟବସାୟୀଙ୍କୁ ଝଟକା ଦେଇଛି । ଅନ୍ୟପଟରେ ଏହି ଘଟଣା ଭବିଷ୍ୟତରେ ଆମେରିକା ସହ ଆମ୍ୱ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।