ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ପାଇଁ ସାମୁଦ୍ରିକ କ୍ଷେତ୍ର ମଧ୍ୟ ସବୁଜ ଅଭ୍ୟାସ ଆପଣାଇବା ଆବଶ୍ୟକ। ଚେନ୍ନାଇସ୍ଥିତ ଇଣ୍ଡିଆନ ମେରିଟାଇମ୍ ୟୁନିଭର୍ସିଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆମ ସମୟର ସବୁଠୁ ବଡ଼ ଆହ୍ବାନ ହେଉଛି ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ। ଏହି ବିପର୍ଯ୍ୟୟରେ ତାପମାତ୍ରା ବୃଦ୍ଧି ଠାରୁ ଆରମ୍ଭ କରି ସମୁଦ୍ର ପତ୍ତନ ବୃଦ୍ଧି ଆଦି ରହିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯାହାକି ବିଶେଷକରି ଦୁର୍ବଳ ବର୍ଗର ଲୋକଙ୍କ ଜୀବିକାକୁ ବ୍ୟାହତ କରୁଛି ତାହାକୁ ରୋକିବା ପାଇଁ ସାମୁଦ୍ରିକ କ୍ଷେତ୍ର ସୁଦୃଢ଼ ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଆପଣମାନଙ୍କର ସମାଜ ପ୍ରତି ଅଧିକ ଦାୟିତ୍ବ ରହିଛି। ଏଥିସହିତ ପରିବେଶ ଓ ପରିସଂସ୍ଥାନର ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଦାୟିତ୍ବ ରହିଛି। ଭାରତରେ ୭୫୦୦ କିମି ଦୀର୍ଘ ବେଳାଭୂମି ରହିଛି। ଏଥିସହିତ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ରହିଛି। ଦେଶର ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି। ଦେଶର ମୋଟ ବାଣିଜ୍ୟ ପରିମାଣର ୯୫ ପ୍ରତିଶତ ଏବଂ ବାଣିଜ୍ୟ ମୂଲ୍ୟର ୬୫ ପ୍ରତିଶତ ସାମୁଦ୍ରିକ ପରିବହନ ଜରିଆରେ ହେଉଛି। ଏଥିସହିତ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ରାଷ୍ଟ୍ର। ଭାରତରେ ୨୫୦୦୦୦ ମାଛଧରା ବୋଟ୍ କାର୍ଯ୍ୟ କରୁଛି। ତେବେ ଭାରତରେ ବନ୍ଦରଗୁଡ଼ିକର କାର୍ଯ୍ୟ ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି।
ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ଏହାର ପ୍ରଥମ ସମୁଦ୍ର ମିସନ ସମୁଦ୍ରଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଥମ ଥର ପାଇଁ ଏକ ଯାନ ମାଧ୍ୟମରେ ମନୁଷ୍ୟ ସମୁଦ୍ରରେ ୬୬୦୦ ମିଟର ଗଭୀରକୁ ଯିବ। ଚଳିତମାସରେ ଅନୁଷ୍ଠିତ ବିଶ୍ବ ମେରିଟାଇମ୍ ଇଣ୍ଡିଆ ସମ୍ମିଳନୀରେ ୧୦ ଲକ୍ଷ କୋଟିର ପୁଞ୍ଜି ଆକୃଷ୍ଟ ହୋଇଛି। ଅମୃତ କାଳ ଭିଜନ୍ ୨୦୪୭ ହାସଲରେ ଏହା ସହାୟକ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।