ଚୀନର ଆପତ୍ତି ସତ୍ତ୍ୱେ ତିବ୍ଦତୀୟ ଉତ୍ସବରେ ଯୋଗଦେଲେ ଭାରତ ସରକାରଙ୍କ ମନ୍ତ୍ରୀ

ଭାରତ ଓ ତିବ୍ଦତ ମଧ୍ୟରେ ଗୁରୁ-ଶିଷ୍ୟ ସଂପର୍କ : ଦଲାଇଲାମା

ନୂଆଦିଲ୍ଲୀ: ଭାରତ ଓ ତିବ୍ଦତ ମଧ୍ୟରେ ଗୁରୁଶିଷ୍ୟର ସମ୍ପର୍କ । ଏହା ଗତ ୬୦ ବର୍ଷ ଧରି ନୁହେଁ, ବରଂ ଶହ ଶହ ବର୍ଷ ଧରି ରହିଆସିଛି ବୋଲି କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ହିମାଚଳ ପ୍ରଦେଶର ମାକଲିଓଗଞ୍ଜ ଠାରେ ଅନୁଷ୍ଠିତ ଥ୍ୟାଙ୍କ ୟୁ ଇଣ୍ଡିଆ (ଭାରତକୁ ଧନ୍ୟବାଦ) ଶୀର୍ଷକ ଏକ ସମ୍ମିଳନୀରେ ମୁଖ୍ୟ ଅତିଥଭାବେ ଯୋଗ ଦେଇ ସେ କହିଛନ୍ତି ଯେ ୧୯୫୯ରେ ଯେତେବେଳେ ସେ ଭାରତ ଭୂମିରେ ପହଞ୍ଚିଲେ, ସେତେବେଳେ ଅନୁଭବ କଲେ ଯେ ଉଭୟ ଦେଶଙ୍କ ମଧ୍ୟରେ ଗୁରୁ ଓ ଶୀଷ୍ୟର ସମ୍ପର୍କ । ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅବସ୍ଥାପିତ କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଚୀନର ଆପତ୍ତିକୁ ଦୃଷ୍ଟିରେ ରଖି ଆଶଙ୍କା କରାଯାଉଥିଲା ଯେ ଏହି ସମ୍ମିଳନୀରୁ ଭାରତ ସରକାର ଦୂରେଇ ରହିବେ । କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବା ପରେ ଏହି ଆଶଙ୍କା ଦୂର ହୋଇଛି । ତେବେ ଏହାକୁ ନେଇ ଚୀନ ପକ୍ଷରୁ ପ୍ରତିକ୍ରିୟା ଆସିବାର ସମ୍ଭାବନା ରହିଛି ।

ଏହି ସମ୍ମିଳନୀରେ ଭାରତ ସରକାରଙ୍କ ପକ୍ଷରୁ ଯୋଗ ଦେଇଥିବା କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଥିଲେ ଯେ ତିବ୍ଦତୀୟମାନେ ହେଉଛନ୍ତି ଭାରତର ଅତିଥି, ଶରଣାର୍ଥୀ ନୁହଁନ୍ତି । ଏଣୁ ଆମ ଅତିଥିମାନେ ଆମକୁ ଧନ୍ୟବାଦ ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ଅବସରରେ ବିଜେପି ନେତା ରାମ ମାଧବ କହିଥିଲେ ଯେ ତିବ୍ଦତୀୟମାନେ ଭାରତର ପରିବାର ସଦସ୍ୟଙ୍କ ଭଳି । ସେମାନଙ୍କୁ ଶରଣ ଦେଇଥିବାରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର