ତ୍ରୁଟି ଯୋଗୁଁ ଭାରତୀୟ ମିସାଇଲ ପାକିସ୍ତାନରେ ପଡ଼ିଲା, ଦୁଃଖ ପ୍ରକାଶ କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ସମଗ୍ର ବିଶ୍ବ ଯୁଦ୍ଧ ଘନଘଟା ଦେଇ ଗତିକରୁଥିବାବେଳେ ଦୁଇ ଶତ୍ରୁଦେଶ ଭାରତ ପାକିସ୍ତାନ ମଧ୍ୟରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ବୈଷୟିକ ତ୍ରୁଟି ଯୋଗୁଁ ଭାରତର ଏକ ମିସାଇଲ ସୀମା ଅତିକ୍ରମ କରି ପାକିସ୍ତାନ ଭିତରେ ପଡ଼ିଛି ।

ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛି । ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି ।

କେଉଁ କ୍ଷେପଣାସ୍ତ୍ରଟି ପାକିସ୍ତାନରେ ପଡ଼ିଛି ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିନଥିଲେ ବି ତାହା ଏକ ବ୍ରହ୍ମସ ବୋଲି କୁହାଯାଉଛି ।

ଏହି ଘଟଣା ସଂପର୍କରେ ପାକିସ୍ତାନୀ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଘଟଣାଟି ଗତ ୯ ତାରିଖ ସଂଧ୍ୟା ୬ଟା ୪୫ ମିନିଟ ସମୟରେ ଘଟିଥିଲା ।  କ୍ଷେପଣାସ୍ତ୍ରଟି ସୀମାଠାରୁ ପ୍ରାୟ ୧୨୩ କିଲୋମିଟର ଭିତରେ ପାକିସ୍ତାନର ଖାନେଓ୍ବାଲ ଜିଲ୍ଲାର ମିଆଁ ଚାନୁ ଅଞ୍ଚଳରେ ଯାଇ ପଡ଼ିଥିଲା । ତେବେ ଏହି ଘଟଣାକୁ ନେଇ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାଯାଇଛି । ତେବେ ଏହା ଆକାଶ ସୁରକ୍ଷା ପ୍ରତି ଭାରତର ବେପାରୁଆ ଭାବକୁ ଦର୍ଶାଉଛି ବୋଲି ପାକିସ୍ତାନ ସେନା କହିଛି ।

 

 

ସମ୍ବନ୍ଧିତ ଖବର