ନୂଆଦିଲ୍ଲୀ: ସାଉଦି ଆରବର ନୂଆଦିଲ୍ଲୀସ୍ଥିତ ଦୂତାବାସ ଗୁରୁବାର (ନଭେମ୍ବର ୧୭) ପ୍ରକାଶ କରିଛି କି ସାଉଦି ଭିସା ପାଇଁ ଭାରତୀୟମାନଙ୍କୁ ଆଉ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ (ପିସିସି) ଆବଶ୍ୟକ ହେବ ନାହିଁ। ଦୂତାବାସ ପକ୍ଷରୁ ଏକ ଟ୍ଵିଟରେ କୁହାଯାଇଛି ଯେ ଦ୍ରୁତ ଭିସା ଅନୁମୋଦନକୁ ସୁଗମ କରିବା ପାଇଁ ସେମାନେ ପୂର୍ବରୁ ରହିଥିବା ଏହି ଆବଶ୍ୟକତାକୁ ହଟାଇ ଦେଉଛନ୍ତି।
ସାଉଦି ଆରବ ଏବଂ ଭାରତ ମଧ୍ୟରେ ଦୃଢ଼ ସମ୍ପର୍କ ଏବଂ ଭାଗିଦାରୀକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଏଣିକି ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ (ପିସିସି) ଦାଖଲ କରିବାରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ସାଉଦି। ସାଉଦି ଆରବ ଯାତ୍ରା ପାଇଁ ଭିସା ପାଇବା ପାଇଁ ଭାରତୀୟ ନାଗରିକଙ୍କ ପାଇଁ ପିସିସି ଆଉ ଆବଶ୍ୟକତା ରହିବ ନାହିଁ ବୋଲି ଦୂତାବାସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
In view of the strong relations and strategic partnership between the Kingdom of Saudi Arabia and the Republic of India, the Kingdom has decided to exempt the Indian nationals from submitting a Police Clearance Certificate (PCC). pic.twitter.com/LPvesqLlPR
— Saudi Embassy in New Delhi (@KSAembassyIND) November 17, 2022
ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଦୁଇ ଦେଶର ପ୍ରୟାସର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି। ଦୂତାବାସ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ରହୁଥିବା ଦୁଇ ନିୟୁତରୁ ଅଧିକ ଭାରତୀୟ ନାଗରିକଙ୍କ ଅବଦାନକୁ ପ୍ରଶଂସା କରୁଛି ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତ ଏବଂ ସାଉଦି ଆରବ ଶତାବ୍ଦୀ ପୁରୁଣା ଅର୍ଥନୈତିକ ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପଭୋଗ କରନ୍ତି। ସାଉଦି ଆରବ ହେଉଛି ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର। କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ଉଭୟ ଦେଶର ଶୀର୍ଷ ନେତୃତ୍ୱ ଘନିଷ୍ଠ ଯୋଗାଯୋଗରେ ରହିଥିଲେ।